ପୁରୀ : କାର୍ତ୍ତିକ ମାସରେ ଶ୍ରୀଜୀଉଙ୍କ ରାଧା ଦାମୋଦର ବେଶ ହୋଇଥାଏ। ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ। ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ ଲାଗିଥାଏ ଯାହା ବାଳଧୂପ ନାମରେ ପରିଚିତ। ତେବେ ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ଏକ ମାସ ଧରି ସ୍ବତନ୍ତ୍ର ବାଳଧୂପ ଏବଂ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ। ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା, ଦୋଭଜା, ଲିଆ, ଅଦା,ଖଇ, ନଡିଆ, ଖୁଦ, ଚାଉଳିଆ, ସେଓ, କମଳା, କଦଳୀ, କାକୁଡ଼ି , ପଇଡ଼ ଆଦି ଭୋଗ ହୋଇଥାଏ।
ତେବେ ପ୍ରଭୁ ବିଷ୍ଣୁଙ୍କର ନାମ ଦାମୋଦର ହୋଇଥିବାରୁ କାର୍ତ୍ତିକ ମାସରେ ରାଧା ଦାମୋଦର ବେଶରେ ନାମକରଣ କରାଯାଇଛି। ଏହି ବେଶରେ ଫୁଲ ନିର୍ମିତ ଗୁଣା, ଚିତା ଓ ଅଧରମାଳା ସହ ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାର ଠାକୁର ମାନଙ୍କୁ ଲାଗି କରାଯାଇଥାଏ। ଏଥିସହ ଶ୍ରୀଜଗନ୍ନାଥ ଓ ବଳଭଦ୍ର ତ୍ରିକଚ୍ଛ ପରିଧାନ କରିବା ସହ ଦୁଇ ହସ୍ତରେ ସୁବର୍ଣ୍ଣ ନଳୀ ଧାରଣା କରିଥାନ୍ତି। ତେବେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ ହୋଇଥିବାରୁ ଠାକୁରଙ୍କ ଶୃଙ୍ଖଳିତ ନୀତିକାନ୍ତି ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀଜୀଉଙ୍କ ରାଧା ଦାମୋଦର ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଛି।