ଫୁଲବାଣୀ : ଗଞ୍ଜାମ ଜିଲ୍ଲା ଗୋପାଳପୁରରୁ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଭାୟା ଫୁଲବାଣୀ ନୂତନ ରେଳ ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତିକୁ ନେଇ ବୁଧବାର ସଂସଦରେ ପ୍ରଶ୍ନ କରିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ। କନ୍ଧମାଳ ଏକ ଆକାଂକ୍ଷା ଜିଲ୍ଲା ହୋଇଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ରେଳ ଲାଇନ୍ ସ୍ବପ୍ନ ହୋଇଛି। ନୂତନ ରେଳ ପ୍ରକଳ୍ପର ଅଗ୍ରଗତି କଣ ବୋଲି ସାଂସଦ ପ୍ରଶ୍ନ କରିଥିଲେ। ଉତ୍ତରରେ ରେଳ ମନ୍ତ୍ରୀ ଆଶ୍ୱିନ ବୈଷ୍ଣବ କହିଥିଲେ ଯେ ମୋଦୀଜୀଙ୍କ ସମୟରେ ଓଡ଼ିଶାକୁ ସର୍ବାଧିକ ଗୁରୁତ୍ବ ଦିଆଯିବା ସହିତ ପ୍ରତିବର୍ଷ ବଜେଟରେ ୧୦ ହଜାର କୋଟିରୁ ଅଧିକ ବ୍ୟୟ ଅଟକଳ କରାଯାଇଛି। ଏହି ପ୍ରକଳ୍ପ କାମ ମଧ୍ୟ ତ୍ୱରାନ୍ୱିତ କରାଯିବ ଏବଂ ଏହାର ସମ୍ପୂର୍ଣ ଷ୍ଟାଟସ୍ ଜଣାଇବି ବୋଲି କହିଥିଲେ।
ସୂଚନାଯୋଗ୍ୟ ଯେ, ଓରିଡିଏଲ୍ କରିଥିବା ସର୍ଭେରେ ଫୁଲବାଣୀକୁ ବାଦ୍ ଦେଇଥିବାରୁ ଆନ୍ଦୋଳନ ଆରମ୍ଭ ହୋଇଛି। ତୁରନ୍ତ ଫୁଲବାଣୀକୁ ଯୋଡିବା ସହିତ ଏହି ପ୍ରକଳ୍ପ ପାଇଁ ଅଧିକ ବ୍ୟୟ ବରାଦ କରାଯାଇ କାମ ଆଗେଇବାକୁ ଦାବି ଜୋର୍ ଧରିଛି। ଏ ନେଇ ନିକଟରେ ଜିଲ୍ଲାର ଅନେକ ସଂଗଠନ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା ମଧ୍ୟ ଦେଇଥିଲେ। ତେଣୁ ଏ ନେଇ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ସଂସଦରେ ପ୍ରଶ୍ନ କରିଥିଲେ।