ଭୁବନେଶ୍ୱର: କିଟ୍ କଲେଜରେ ଗତକାଲି ନେପାଳୀ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିବା ପରେ ଅଶାନ୍ତ ହୋଇପଡିଛି କଲେଜ କ୍ୟାମ୍ପସ । ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଳାଇଛନ୍ତି ଛାତ୍ରଛାତ୍ରୀ । ତେବେ ଘଟଣା ପରେ ଯଥାଶୀଘ୍ର କ୍ୟାମ୍ପସ୍ ଖାଲି କରିବାକୁ ଛାତ୍ରଙ୍କୁ ନିର୍ଦ୍ଦେଶ ଦେବା ପରେ ଆଜି ଜୋର ଜବରଦସ୍ତି ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରୁ ବାହାର କରିଦିଆଯାଇଛି । ୨ଟି ବସ୍ ଯୋଗେ ସେମାନଙ୍କୁ ରେଳଷ୍ଟେସନକୁ ନିଆଯାଇ ଛଡାଯାଉଛି ।
ଛାତ୍ରଛାତ୍ରୀଙ୍କୁ ବିଦା କରିବା ପାଇଁ ବଳ ପ୍ରୟୋଗ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। କିଛି ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ୱାର୍ଡେନ ପାଇପରେ ପିଟିଥିବା ନେଇ ଅଭିଯୋଗ ମଧ୍ୟ ଆସିଛି। ସେହିପରି ରହିବା, ଖାଇବା ଏପରିକି ଟିକେଟ ପାଇଁ ମଧ୍ୟ ପଇସା ନ ଥିବା ବେଳେ ଛାତ୍ରଛାତ୍ରୀ ମାନେ କଣ କରିବେ ତାକୁ ନେଇ ଦ୍ୱନ୍ଦରେ ରହିଛନ୍ତି।
ସହପାଠୀଙ୍କ ମୃତ୍ୟୁକୁ ନେଇ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନ କରିବା କାରଣରୁ ସମସ୍ତଙ୍କୁ ବିଦା କରାଯାଇଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି। ଏହା ସହିତ ଛାତ୍ରଛାତ୍ରୀ ମାନେ ଆଉ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଛାତ୍ରୀ ଜଣଙ୍କ ଜଣେ ଯୁବକଙ୍କ ଦ୍ବାରା ଶାରୀରିକ ଓ ମାନସିକ ନିର୍ୟାତନା ପାଇବା ପରେ ଏହାକୁ ନେଇ ଇଣ୍ଟରନ୍ୟାସନାଲ ରିଲେସନସ ଅଫିସର ଦ୍ବାରସ୍ଥ ହୋଇଥିଲେ। ୨-୩ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଫଳରେ ମାନସିକ ଦୁଶ୍ଚିନ୍ତାର ଶିକାର ହୋଇ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିଲେ।
ଅଧିକ ପଢନ୍ତୁ: କିଟ୍ କଲେଜରେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା; ନ୍ୟାୟ ଦାବିରେ ରାସ୍ତାରୋକ କଲେ ଛାତ୍ରଛାତ୍ରୀ, ଜଣେ ଅଭିଯୁକ୍ତକୁ ଅଟକ ରଖି ପୋଲିସ କରୁଛି ପଚରାଉଚରା
ସେପଟେ ଘଟଣାକୁ ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ଇନଫୋସିଟି ଥାନାରେ ମାମାଲା ରୁଜୁ ହୋଇଛି । ଅଭିଯୁକ୍ତ ଛାତ୍ର ଜଣଙ୍କ ମୃତ ଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ସହ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗ ରହିଛି । ଏନେଇ ପୋଲିସ ତାଙ୍କୁ ପଚରାଉଚରା କରୁଥିବା ନେଇ ସୂଚନା ଦେଇଛନ୍ତି ଡିସିପ । ସେପଟେ ମୃତ ଛାତ୍ରୀଙ୍କ ରୁମରୁ ଲ୍ୟାପଟପ୍, ମୋବାଇଲ ଫୋନ ଜବତ କରାଯାଇଛି ।