ବରଗଡ଼ : ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ।ଠିକାଦାରଙ୍କଠାରୁ ୮,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଡାଙ୍ଗବାହାଲ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ତେବେ ବରଗଡ଼ ଗାଇସିଲେଟ ବ୍ଲକ୍ ଡାଙ୍ଗବାହାଲ ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ ସୁସ୍ମିତା ଓରାମ୍। ଗତ ଏକ ବର୍ଷ ହେବ ଚାକିରିରେ ଯୋଗ ଦେଇଥିଲେ। ହେଲେ ଅଧିକ ଅର୍ଥ ଉପାର୍ଜନର ଲୋଭ ଆଜି ସୁସ୍ମିତାଙ୍କୁ ମହଙ୍ଗା ପଡ଼ିଛି।
ସୂଚନା ଅନୁସାରେ, ମନରେଗା ଅଧୀନରେ ରାସ୍ତା ଉନ୍ନତିକରଣ କାର୍ଯ୍ୟ ପାଇଁ ମାପ ଏବଂ ବକେୟା ବିଲ୍ ପରିଶୋଧ ପାଇଁ ସୁସ୍ମିତା ଓରାମ ଜଣେ ଠିକାଦାରଙ୍କ ଠାରୁ ମୋଟ ୩୨,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଠିକାଦାର ମଧ୍ୟ ୨୪ ହଜାର ଟଙ୍କା ଦେଇ ସାରିଥିଲେ। ଶେଷ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସୁସ୍ମିତା ଓରାମ ଭିଜିଲାନ୍ସ ଧରିଥିଲା। ଏହାପରେ ତାଙ୍କୁ ଗିରଫ କରି ଅଧିକ ପଚରଉଚରା ଜାରି ରଖିଛନ୍ତି ଭିଜିଲାନ୍ସ ଟିମ।