ମୟୁରଭଞ୍ଜ: ଡାଇରିଆ ପରେ ଏବେ ମାଡ଼ିଚାଲିଛି ଜଣ୍ଡିସ୍ । ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗରରେ ଏବେ ବ୍ୟାପୁଛି ଜଣ୍ଡିସ୍ । ୧୫ ଦିନ ଭିତରେ ଆକ୍ରାନ୍ତ ହେଲେଣି ୧୯ ଜଣ । ଗୋପବନ୍ଧୁ ନଗରର ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପିବାରେ ଲାଗିଛି ଜଣ୍ଡିସ୍ । ପ୍ରଥମେ ଗୋପବନ୍ଧୁ ନଗର ୮ଜଣ ଲୋକ ଜଣ୍ଡିସ୍ ରେ ଆକାନ୍ତ ହୋଇଥିଲେ । ଗାଁର କୂଅ ପାଣିରୁ ଜଣ୍ଡିସ ବ୍ୟାପିଥିବା ସ୍ୱାସ୍ଥ୍ୟ ବିଭାଗ କହିବା ପରେ କୂଅକୁ ବାରଣ କରାଯାଇଥିଲା । ଗ୍ରାମବାସୀଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଏବେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ୮ରୁ ବଢ଼ି ୧୯ରେ ପହଞ୍ଚିଲାଣି । ବ୍ଲକ୍ ର ଆରପଟା ପଞ୍ଚାୟତର ଖିରିପଦା ଓ ପରିଛିପୁର ଗ୍ରାମରେ ଜଣ୍ଡିସ୍ ରୋଗ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି।
ଜଣ୍ଡିସ୍ କୁ ନେଇ ସରକାରୀସ୍ତରରେ ଯେତିକି ରୋଗୀ ଚିହ୍ନଟ ହେଉଛନ୍ତି, ତା’ଠାରୁ ଢେର୍ ଅଧିକ ରୋଗୀ ଡାକ୍ତରଖାନା ନ ଯାଇ ଘରୋଇ ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି। ଏହି ଦୁଇ ଗାଁରୁ ୪୦ରୁ ଅଧିକ ରୋଗୀ ଚିହ୍ନଟ ହେଲେଣି।ଗତ ସପ୍ତାହରେ ଆକ୍ରାନ୍ତ ହୋଇଥିବା ୧୯ ରୋଗୀଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ଚଳିତ ସପ୍ତାହରେ ଦୁଇ ଗ୍ରାମରୁ ଆଉ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣ୍ଡିସ୍ ନିୟନ୍ତ୍ରଣ ବାହାରକୁ ଯାଉଥିବାର ଦେଖି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୂଷିତ ପାଣି ପିଇ ରୋଗ ବ୍ୟାପୁଥିବାରୁ ପ୍ରଦୂଷିତ ଜଳଉତ୍ସକୁ ବ୍ୟବହାର ନକରିବା ଓ ପାଣିକୁ ଫୁଟାଇ ପିଇବାକୁ ସଚେତନ କରାଯାଇଛି।