ବାଇକରେ ଆସି ଝାମ୍ପି ନେଲେ ସୁନାର ମଙ୍ଗଳସୂତ୍ର । ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟପାଟ । ସବୁସ୍ଥାନରେ ଲୁଟେରାମାନେ ଆତଙ୍କ ଖେଳାଇ ରଖିଛନ୍ତି । ଯାହାଫଳରେ ସମସ୍ତେ ଅସୁବିଧାର ସାମ୍ନା କରୁଛନ୍ତି । ଦୁର୍ବୁତ୍ତମାନେ ଏକ ବାଇକରେ ଆସି ମହିଳାଙ୍କ ବେକରୁ ସୁନାର ମଙ୍ଗଳସୂତ୍ର ଝାମ୍ପି ଫେରାର ହୋଇଯାଇଛନ୍ତି । ଏଭଳି ଘଟଣା ସାମ୍ନାକୁ ଆସିଛି ଗଂଜାମ ଜିଲ୍ଲାରେ ।
ସୂଚନା ଅନୁଯାୟୀ,ଗଂଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ସ୍ଥିତ ଶିବାନନ୍ଦ ନଗର ଛକରେ ଗତକାଲି ସନ୍ଧ୍ୟା ସମୟରେ ଜଣେ ମହିଳା ଘର ଭଡା ଖୋଜିବାକୁ ଯାଉଥିଲେ । ଏହାର ସୁଯୋଗ ଦେଖି ଦୁଇ ଜଣ ଅଜଣା ବ୍ୟକ୍ତି ଏକ ବାଇକରେ ଆସି ହିନ୍ଦୀରେ ଏହି ରାସ୍ତାଟି କେଉଁ ଆଡେ ଯାଇଛି ପଚାରିଥିଲେ। ଏହାପରେ ବାଇକ ପଛରେ ବସିଥିବା ବ୍ୟକ୍ତି ଜଣକ ମହିଳାଙ୍କ ବେକରୁ ମଙ୍ଗଳ ସୂତ୍ରକୁ ଝାମ୍ପି ନେଇ ଚାଲିଯାଇଥିଲେ। ସେହି ମଙ୍ଗଳସୂତ୍ରର ୧୭ ଗ୍ରାମର ହେବ । ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମହିଳାଜଣକ । ଚୋରଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରିରଖିଛି ।