ଉଦଳା : ଜଙ୍ଗଲରୁ ମିଳିଲା ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ। କପ୍ତିପଦା ଥାନା ବିଦ୍ୟାଧରନଗର ଜଙ୍ଗଲରୁ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ମହିଳା ଉକ୍ତ ଅଂଚଳର ମାଦେ ସିଂ ବୋଲି ଜଣାପଡିଛି। ତେବେ ମୃତ୍ୟୁ କେଉଁ କାରଣରୁ ହୋଇଛି ସେ ନେଇ ପୋଲିସ ଅଧିକ ତଦନ୍ତ କରିଥିଲା। ହତ୍ୟା ପଛରେ ପରକୀୟା ପ୍ରେମ ମୁଖ୍ୟ କାରଣ ହୋଇଥିବା ତଦନ୍ତରୁ ଜଣାପଡିଥିଲା। ଏହାପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।
ସୂଚନା ଅନୁସାରେ, ମୁଖ୍ୟ ଆସାମୀ ସାବିତ୍ରୀ ସଏଙ୍କ ସ୍ୱାମୀ ପ୍ରତାପ ସଏଙ୍କର ମୃତକ ମାଦେ ସହିତ ଅନୈତିକ ସମ୍ପର୍କ ରହିଥିଲା। ଏପରିକି ମୃତକ ମାଦେ ତାଙ୍କୁ ନିଜ ପାଖରେ ରଖିବାକୁ ଚେଷ୍ଟା କରୁଥିଲେ। ଯାହାକୁ ନେଇ ପୂର୍ବରୁ ମାଦେ ଓ ସାବିତ୍ରୀଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା। ଶେଷରେ ଗତ ଶନିବାର ରାତିରେ ମାଦେ ସିଂ ସୋନ ଡ୍ୟାମ ନିକଟରେ ବସିଥିବା ବେଳେ ସାବିତ୍ରୀ ସେଠାରେ ପହଞ୍ଚି ଏକ କଟୁରୀରେ ମାଦେଙ୍କୁ ହାଣି ହତ୍ୟା କରିଥିଲେ। ଏହାପରେ ଗ୍ରାମର ଅନ୍ୟ ଦୁଇ ଜଣ ଦୁଃଖିଆ ସଏ ଏବଂ ଜୟନ୍ତୀ ସଏଙ୍କୁ ଘଟଣାସ୍ଥଳକୁ ଡାକି ୩ ଜଣ ମିଶି ମୃତଦେହକୁ ନେଇ ଜଙ୍ଗଲରେ ପକାଇ ଫେରାର ହୋଇଯାଇଥିଲେ।