ପୁରୀ : କଣାସ ବ୍ଲକ୍ ଗଡ଼ିଶାଗୋଦା ଥାନା ବଡ଼ଓରା ଗାଁରେ ପୋଲିସକୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଆକ୍ରମଣ ଘଟଣାରେ ୪ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କଲା ପୋଲିସ ଟିମ୍ । ଏହି ଘଟଣାରେ ସରପଞ୍ଚ ଓ ପୋଲିସ ତରଫରୁ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି। ଗାଁରେ ରାତିରେ ଚଢ଼ାଉ କରି ପୋଲିସ ଏମାନଙ୍କୁ ଗିରଫ କରିଥିବା ବେଳେ, ଆଉ କିଛି ଫେରାର ଅଛନ୍ତି।
ସୂଚନା ଥାଉକି ରାଜନୈତିକ ଶତ୍ରୁତାରୁ ବଡ଼ଓରା ଗାଁ ସରପଞ୍ଚ ଧନେଶ୍ୱର ଲେଙ୍କା ଓ ତାଙ୍କ ବିପକ୍ଷ ଗୋଷ୍ଠୀ ମଧ୍ୟରେ ଚିଙ୍ଗୁଡ଼ି ପୋଖରୀ ନିକଟରେ ବିବାଦ ଉପୁଜିଥିଲା । ଯାହାକୁ ନେଇ ବିପକ୍ଷ ଗୋଷ୍ଠୀ ସଂଗ୍ରାମ ସାହୁ ସରପଞ୍ଚ ଧନେଶ୍ୱର ଲେଙ୍କାଙ୍କ ଘର ଉପରେ ଆକ୍ରମଣ କରି ଆଜବେଷ୍ଟସ ଭାଙ୍ଗିଥିଲେ । ଖବର ପାଇ ପୋଲିସ ଗାଁକୁ ଯାଇ ଅଭିଯୁକ୍ତକୁ ଧରିବା ବେଳେ ଧସ୍ତାଧସ୍ତି ଆରମ୍ଭ ହେଇଥିଲ । ଅଭିଯୁକ୍ତମାନେ ପୋଲିସକୁ ମରଣାନ୍ତକ ଆକ୍ରମଣ କରିଥିଲେ।ଯେଉଁଥିରେ ଗଡ଼ିଶାଗୋଦା ଥାନା ଜଣେ ଅଧିକାରୀ ଓ ଏଏସଆଇ କପିଳାସ ସାହୁଙ୍କ ମୁଣ୍ଡ ଫାଟିଥିଲା। ବର୍ତ୍ତମାନ ସେ ଚିକିତ୍ସିତ ହେଉଛନ୍ତି ।