କେନ୍ଦୁଝର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଟାଉନରେ ନବ ନିର୍ମିତ ଥାନାଗୃହ ଏବଂ ରିଜର୍ଭ ପୋଲିସ ଅଫିସ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ନବନିର୍ମିତ ଟାଉନ ଥାନାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମୁଦାୟ ୩ କୋଟି ୩୪ ଲକ୍ଷ ୧୪ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ଥାନା ଓ ୨ କୋଟି ୭୬ ଲକ୍ଷ ୬୮ ହଜାର ଟଙ୍କା ବ୍ୟୟରେ ନିର୍ମିତ ରିଜର୍ଭ ପୋଲିସ ଅଫିସର ଅଧିକାରୀ ଓ କର୍ମଚାରୀମାନେ ସାଧାରଣ ଜନତାଙ୍କୁ ଉତ୍ସର୍ଗୀକୃତ ସେବା ପ୍ରଦାନ କରିବେ । ଏହି ଥାନାଗୁଡ଼ିକ ଦ୍ଵାରା ଲୋକମାନେ ଉନ୍ନତ ମାନର ସେବା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।
ଏହି ଅବସରରେ ପୋଲିସ କର୍ମଚାରୀଙ୍କ ପାଇଁ ୧୭ ଟି SUV ଗାଡି ଏବଂ ୮୦ ଟି ମୋଟର ସାଇକେଲକୁ ସବୁଜ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଇନ ଶୃଙ୍ଖଳା ରକ୍ଷା ଦିଗରେ ଥାନାର ପ୍ରମୁଖ ଭୂମିକା ରହିଛି। ସେଥିପାଇଁ ଆମ ସରକାର ଆସିବା ପରେ ଥାନାଗୁଡ଼ିକୁ ଆଧୁନିକୀକରଣ ଓ ସୁବ୍ୟବସ୍ଥିତ କରିବା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି। ଥାନାରେ କର୍ତ୍ତବ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ମୋର ପରାମର୍ଶ, ଥାନାକୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଜନସାଧାରଣମାନଙ୍କୁ ଉତ୍ତମ ବ୍ୟବହାର କରନ୍ତୁ। ରାଜ୍ୟରେ ସମୁଦାୟ ୩୨ ହଜାର ନୂଆ ପଦବୀ ସୃଷ୍ଟି କରାଯାଇଥିବା ବେଳେ ୧୬ ହଜାର ଖାଲି ପଦବୀ, ନୂତନ ଭାବେ ସୃଷ୍ଟି ହୋଇଥିବା ୧୬ ହଜାର ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଗାମୀ କିଛି ବର୍ଷ ମଧ୍ୟରେ ରାଜ୍ୟ ପୋଲିସର କର୍ମଚାରୀ ଓ ଅଧିକାରୀ ସଂଖ୍ୟା ୩୨ ହଜାର ବଢ଼ିବ।
ଏହାଦ୍ୱାରା ପୋଲିସର ସାମର୍ଥ୍ୟ ବୃଦ୍ଧି ପାଇବ। ସରକାର ପୋଲିସ ବାହିନୀର ସାମର୍ଥ୍ୟ ଓ ମନୋବଳ ବୃଦ୍ଧି କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରତିବଦ୍ଧ ହୋଇ କାମ କରୁଛନ୍ତି। ତେଣୁ ଆପଣମାନେ ମଧ୍ୟ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ସେହିପରି ପ୍ରତିବଦ୍ଧ ହୋଇ କାମ କରନ୍ତୁ ବୋଲି ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଘସିପୁରା ବିଧାୟକ ଶ୍ରୀ ବଦ୍ରିନାରାୟଣ ପାତ୍ର, ତେଲକୋଇ ବିଧାୟକ ଡଃ ଫକୀର ମୋହନ ନାୟକ, ଚମ୍ପୁଆ ବିଧାୟକ ଶ୍ରୀ ସନାତନ ମହାକୁଡ, ଡିଜିପି ଯୋଗେଶ ବାହାଦୁର ଖୁରାନିଆ, ଆଇ ଜି ଶ୍ରୀ ହିମାଂଶୁ ଲାଲ, କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ, କେନ୍ଦୁଝର ଏସ୍ପି ନୀତିନ କୁଶଲକର ପ୍ରମୁଖ ଉପସ୍ଥିତ ଥିଲେ।