ନିଜ କାହାଣୀରେ ନିଜେ ଭିଲିଆନ ହୋଇ କଲା ଷଡଯନ୍ତ୍ର । କମ୍ପାନୀ ଟଙ୍କାକୁ ଉଡାଇ ଲୁଟର ନାମ ଦେଲା । ଅନଲାଇନରେ ଜୁଆ ଖେଳି ସାଙ୍ଗ ସାଥି ସହ ମଦମାଂସ ପାର୍ଟି କଲା, ଦାମୀ ପ୍ୟାଣ୍ଟ ସାର୍ଟ, ଜୋତା କିଣିଲା, ବାକି ଟଙ୍କା ସୁଝିଲା। ସେତିକିରେ ବି ସନ୍ତୁଷ୍ଟ ନ ହୋଇ ନିଜେ ଚାକିରି କରୁଥିବା ସଂସ୍ଥା ପାଇଁ ଆଦାୟ କରିଥିବା ୩ ଲକ୍ଷ ଟଙ୍କା ଉଡ଼ାଇଦେଲା। ଆଉ ଶେଷରେ ମାଲିକକୁ ଫୋନ୍ କରି କହିଲା ବିଭିନ୍ନ ଷ୍ଟୋରରୁ ଆଦାୟ କରିଥିବା ୩ ଲକ୍ଷ ୩୩ ହଜାର ଟଙ୍କା ଲୁଟ୍ ହୋଇଗଲା। ଏଭଳି ନିନ୍ଦନୀୟ ଘଟଣା ଘଟିଛି ଭୁବନେଶ୍ୱର କଳିଙ୍ଗ ବିହାର ଅଞ୍ଚଳରେ । ସଂସ୍ଥା ପାଇଁ ଆଦାୟ କରିଥିବା ଟଙ୍କାକୁ ବ୍ୟାଙ୍କରେ ଜମା ନ କରି ବିଭିନ୍ନ ବହନ ଦେଖାଇ ଶେଷରେ ଲୁଟ ହୋଇଯାଇଛି ବୋଲି ଏକ ନାଟକ ରଚିଥିଲା ଯେଉଁ ନାଟକରେ ନିଜେ ଖଳନାୟକ ଥିଲା । ରଚିଥିବା ଏହି ନାଟକରେ ସେ ଶେଷରେ ଫସିଥିଲା ।
ସୂଚନା ଅନୁଯାୟୀ ଉକ୍ତ ଦୁର୍ବୃତ୍ତ କାମକରୁଥିବା ସଂସ୍ଥାର ମାଳିକାକୁ ଫୋନ କରି ଆଦାୟ ହୋଇଥିବା ଟଙ୍କା ଲୁଟ ହେଇଗଲା ବୋଲି ଅଭିଯୋଗ କରିଥିଲା । ଏହା ଶୁଣିବା ପରେ ମାଲିକ ଜଣକ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ଏଭଳି ଏକ ଲୁଟ୍କୁ ନେଇ ପୋଲିସ ମାମଲା ରୁଜୁ କରିବା ସହ ଉକ୍ତ ଦୁର୍ବୁତ୍ତଙ୍କୁ ପଚରାଉଚରା ଆରମ୍ଭ କରିଥିଲା। ପୋଲିସ ତାଙ୍କ ଉପରେ ସନ୍ଦେହ କରି ଘଟଣାସ୍ଥଳକୁ ପୁଲିସ ଯାଇ ଛାନଭିନ୍ କରିବା ସହ ନିକଟରେ ଥିବା ଜଣେ ଦୋକାନୀଙ୍କୁ ପଚାରିଥିଲା। କିନ୍ତୁ ସେପରି କିଛି ଘଟଣା ତାଙ୍କ ନଜରକୁ ଆସି ନ ଥିବା ଦୋକାନୀ କହିଥିଲେ। ପୋଲିସ ଅଧିକାରୀ ମାନେ ପ୍ରାୟ ଦୁଇ ଘଣ୍ଟା ଧରି ଜେରା କରିବା ପରେ ସବୁ ସତ କଥା ମାନି ଯାଇଥିଲା ଉକ୍ତ ଦୁର୍ବୁତ୍ତ ।
ଅନଲାଇନରେ ଜୁଆ ଖେଳୁଥିଲା । ଜୁଆ ଖେଳରେ ନ ହାରିବା ପାଇଁ ସେ ସମସ୍ତ ରୋଜଗାର ଟଙ୍କାକୁ ଉଡାଇଦେଇଥିଲା । କିନ୍ତୁ ଜୁଆ ଖେଳର ନିଶା ତାକୁ ଏପରି ଘାରିଥିଲା ଯେ ସେ କାମକରୁଥିବା ସଂସ୍ଥାର ଟଙ୍କାକୁ ଉଡାଇଦେଇଥିଲା । ଲୁଟ୍ ନାଟକରେ ସେ ଖଳନାୟକ ଥିଲା। ସମ୍ପର୍କୀୟ ଭାଇ, ସାଙ୍ଗ ସହ ମିଶି କାହାଣୀ ତିଆରି କରିଥିଲା ବୋଲି ପଚରାଉଚରା ବେଳେ ସେ କହିଥିଲା ।ତେବେ ଏହି ଘଟଣାରେ ଅନ୍ୟ କାହାର ଲିଙ୍କ ଅଛି ନାହିଁ ସ୍ପଷ୍ଟ ହେବାପାଇଁ ପୋଲିସ ତାର ତଦନ୍ତ ଜାରିରଖିଛି ।
ଅଧିକ ପଢନ୍ତୁ :ବିପୁଳ ବାଣ ଜବତ ଅଭିଯୋଗରେ ୨ ଗିରଫ