ବିନା ଲାଇସେନ୍ସରେ ଘରେ ବାଣ ଗଚ୍ଛିତ ରଖି ବେପାର କରୁଥିବା ଅଭିଯୋଗରେ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ପୁଲିସ୍ । ମିଳିଥିବା ସୂଚନା ଅନୁଯାଇ, ଗିରଫ ବ୍ୟକ୍ତିମାନେ ହେଲେ କୁସୁମାଟିର ମାଝି ସାହିର ୪୯ ବର୍ଷୀୟ ଛବୀନ୍ଦ୍ର କୁମାର ସୁବୁଦ୍ଧି ଓ ୪୬ ବର୍ଷୀୟ ପବିତ୍ର ସୁବୁଦ୍ଧି । ଦୀପାବଳୀ ପାଇଁ ଜନସାଧାରଣଙ୍କ ନିକଟରେ ବିକ୍ରୟ ପାଇଁ ଅଭିଯୁକ୍ତ ଦୁହେଁ ବିଭିନ୍ନ ପ୍ରକାରର ବାଣ ନିଜ ଘରେ ରଖିଥିଲେ। ସେମାନଙ୍କଠାରୁ ବିପୁଳ ପରିମାଣରେ ୨୦ ପ୍ରକାରର ବାଣ ଜବତ କରାଯାଇଛି। ତା’ ମଧ୍ୟରେ ରହିଛି ହାତ ତିଆରି ୪୦୦ଟି କୁମ୍ପି, କାଗଜରେ ତିଆରି ୫୦୦ଟି ଛୋଟ ବୋମା ଓ ୭୦୦ଟି ବଡ଼ ବୋମା। ସେମାନେ ନିଜେ କିଛି ବାଣ ତିଆରି କରିଥିଲେ ଓ ଅନ୍ୟଗୁଡ଼ିକୁ ସ୍ଥାନୀୟ ଅଞ୍ଚଳରୁ କିଣି ଥିଲେ ବୋଲି ଜଣାପଡ଼ିଛି। ପୋଲିସ ସୂଚନା ଅନୁଯାୟୀ, କୁସୁମାଟିର ଛବୀନ୍ଦ୍ର ଓ ପବିତ୍ର ସାହି ଭିତରେ ଗୋଟିଏ ଘରେ ବେଆଇନ ଭାବେ ବାଣ ରଖି ବିକ୍ରି କରୁଥିବା ନେଇ ଆଜି ଜଟଣୀ ଥାନା ନିକଟକୁ ଏକ ସୂଚନା ଆସିଥିଲା। ଏହା ପରେ ଜଟଣୀ ଥାନାର ଏକ ଟିମ୍ ସେଠାରେ ଚଢ଼ାଉ କରି ବାଣ ଜବତ କରିବା ସହିତ ଦୁଇ ଭାଇଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ପୋଲିସ ସେମାନଙ୍କୁ କୋର୍ଟକୁ ଚାଲାଣ କରିଛି ।
ଅଧିକ ପଢ଼ନ୍ତୁ : ମଣିପୁର ହିଂସା ସମୟରେ ଚୋରି ହୋଇଥିବା ଗୁଳି ଜବତ ; ମାତ୍ର ୨୫% ଅସ୍ତ୍ରଶସ୍ତ୍ର ଫେରିପାରିଛି