ପୋଲ ନାହିଁ ତ ଭୋଟ ନାହିଁ। ତେବେ ସାଧାରଣ ନିର୍ବାଚନ ଆଗରୁ ଦେଓଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅଞ୍ଚଳରେ ଭୋଟ ବର୍ଜନ କରିଛନ୍ତି ୩ଟି ଗ୍ରାମ ପଞ୍ଚାୟତର ଗ୍ରାମବାସି। ତେବେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଚଡେଇମରା ପଞ୍ଚାୟତ ଝରାବେରେଣୀ ଗ୍ରାମର ଦିର୍ଘଦିନର ସମସ୍ୟା ଓ ଦାବୀ ପରେ ବି ହୋଇପାରୁନି ଵ୍ରିଜ। ଯାହାଦ୍ୱାରା ଆଜି ପଞ୍ଚାୟତର ଗ୍ରାମବାସୀ ଏପରି ନିଷ୍ପତି ନେଇଥିବା ଦେଖିବାକୁ ମିଳିଛି ।
ସୂଚନା ମୁତାବକ , ରାଜ୍ୟ ସରକାର ଗ୍ରାମାଞ୍ଚଳରେ ରାସ୍ତାଘାଟ ଓ ଗମନା ଗମନର ସୁବିଧା ପାଇଁ ଅନେକ ଯୋଜନା କରୁଥିବାରୁ ଡିଣ୍ଡିମ ପିଟୁଛନ୍ତି। ହେଲେ ଝରାବେରେଣୀ ଗ୍ରାମରେ ପୋଲ ଖଣ୍ଡିଏ ନଥିବାରୁ ଗ୍ରାମବାସୀଙ୍କୁ ୨ କିଲୋ ମିଟର ରାସ୍ତାକୁ ୧୭ କିଲୋମିଟର ଯିବାକୁ ପଡୁଛି। ଚଡେଇମରା, ତୁଙ୍ଗାମାଳ ଓ ନୂଆଁପଡା ପଞ୍ଚାୟତର ଲୋକେ ଯୁଆଡେ ଯିବା ପାଇଁ ହେଲେ ଟିକିରା ନଦୀ ରାସ୍ତାକୁ ଭରସା କରି ରହୁଛନ୍ତି।
ତେବେ ବର୍ଷାଦିନେ ନଦୀରେ ବଢି ପଡିବା ସମୟରେ ୩ଜଣ ସ୍କୁଲ ଛୁଆ ନଈ ପାର ହେବାବେଳେ ପାଣିରେ ଭାସି ମୃତ୍ୟୁ ବରଣ କରିଥିଲେ। ହେଲେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କି ଜିଲ୍ଲା ପ୍ରଶାସନ ଏଥିପ୍ରତି କୈଣସି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଲୋକେ । ଯାହାଦ୍ୱାରା ଲୋକେ ବାରମ୍ବାର ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ଯଦି ଆସନ୍ତା ନିର୍ବାଚନ ପୂର୍ବରୁ ପୋଲ ତିଆରି ନ ହୁଏ ତେବେ ୩ଟି ଅଂଚଳର ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।