କିଏ ଜାଣିଥିଲା ଟିକେ ଜିଦି କରିଦେବ ଦୁଇ ଭଉଣୀଙ୍କୁ ଅନାଥ କରିଦେବ । ବ୍ରିଜ ଉପରେ ଠିଆ ହୋଇ ମହାନଦୀରେ ପାଣି ଦେଖି ଖୁସି ହେଉଥିଲେ ଦୁଇ ଭଉଣୀ ହେଲେ ସେମାନଙ୍କ ଖୁସି ବେଶୀ ସମୟ ରହିଲାନି ସେମାନଙ୍କ ଖୁସି। ଦୁଇ ଭଉଣୀ ବ୍ରିଜରେ ଛିଡ଼ାହୋଇ ପାଣି ଦେଖୁଥିବା ବେଳେ ବାପାମା’ଙ୍କ ଉପରେ ମାଡ଼ିଗଲା ଆମ୍ବୁଲାନ୍ସ । ଚାଲିଗଲା ବାପାମା’ଙ୍କ ଜୀବନ। ଏପରି ଏକ ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତ ଦମ୍ପତି ହେଲେ ମିଟୁ ବେହେରା ଓ ତାଙ୍କ ପତ୍ନୀ ମନୋରମା ବେହେରା।
ସୂଚନା ଅନୁସାରେ ଶନିବାର ସକାଳେ ମିଟୁ ତାଙ୍କ ଦୁଇ ଝିଅ ଓ ସ୍ତ୍ରୀକୁ ନେଇ ବାଇକ୍ ଯୋଗେ ଆଠମଲ୍ଲିକରୁ ବୌଦ୍ଧ ଆସୁଥିଲେ । ହେଲେ ବାଟରେ ଏମିତି ଘଟିବ କିଏ ଜାଣିଥିଲା ବୌଦ୍ଧ ଟାଉନ ଥାନା ଅନ୍ତର୍ଗତ ମହାନଦୀ ବ୍ରିଜରେ ଦୁଇ ଝିଅ ନଦୀ ପାଣି ଦେଖିବାକୁ ଜିଦ୍ ଧରିଥିଲେ । ମିଟୁ ଦୁଇ ପିଲାଙ୍କ ଜିଦ୍ ମାନି କରି ଗାଡ଼ି ଅଟାଇଥିଲେ। ଦୁଇ ଝିଅ ବ୍ରିଜ ଉପରେ ଠିଆ ହୋଇ ପାଣି ଦେଖିବାକୁ ଯାଇଥିଲେ। ପାଣି ଦେଖି ମଧ୍ୟ ଦୁଇ ଖୁସି ହେଉଥିଲେ। ଆଉ ବାପାମା’ ଗାଡ଼ି ଉପରେ ବସି ଦୁଇ ଛୁଆଙ୍କ ଖୁସିକୁ ଦେଖୁଥିଲେ। ଠିକ ଏହି ସମୟରେ ଯମ ଦୂତ ସାଜି ଦ୍ରୁତ ଗତିରେ ଆସି ଏକ ଆମ୍ବୁଲାନ୍ସ ମିଟୁ ଓ ତାଙ୍କ ସ୍ତ୍ରୀଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମିଟୁଙ୍କର ମୃତ୍ୟୁ ଘଟିଥିଲା ଏବଂ ଗୁରୁତର ଅବସ୍ଥାରେ ତାଙ୍କ ସ୍ତ୍ରୀଙ୍କୁ ଡାକ୍ତରଖାନା ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ । ବାପାମା’ଙ୍କୁ ହରାଇ ଦୁଇ ଝିଅ ମଧ୍ୟ ଭୋଭୋ ହୋଇ କାନ୍ଦୁଛନ୍ତି। ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଛି । ପୋଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।