ପାରିବାରିକ କଳହର କରୁଣ ପରିଣତି l ସ୍ତ୍ରୀକୁ ହାଣିଦେଲା ସ୍ୱାମୀ l ଏହି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ଥାନା ଆଖୁ ପଦର ଗ୍ରାମରେ l ମୃତକଙ୍କ ମା’ଙ୍କ ଅଭିଯୋଗ ପରେ ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ପଚରାଉଚୁରା କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତ ମହିଳାଙ୍କ ନାଁ ଗୀତାଞ୍ଜଳି ମୂଳି । ଅଭିଯୁକ୍ତ ଜଣଙ୍କ ହେଲେ ରାଜୁ ମୂଳି l
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତ୍ରିରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା । ଆଉ ସାମାନ୍ୟ ଯୁକ୍ତିତର୍କ କ୍ରମଶଃ ବଢି ଉଗ୍ରରୂପ ଧାରଣ କରିଥିଲା ଯାହା ଫଳରେ ହିତାହିତ ଜ୍ଞାନ ହରେଇବସିଲା ଅଭିଯୁକ୍ତ ସ୍ୱାମୀ l ଅତ୍ୟଧିକ କ୍ରୋଧାନ୍ୱିତ ହୋଇ ଘରେ ଥିବା ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ଆକ୍ରମଣ କରିଥିଲା ସ୍ୱାମୀ l ଫଳରେ ଘଟଣାସ୍ଥଳରେ ହିଁ ଗୀତଞ୍ଜଳିଙ୍କ ମୃତ୍ୟୁ ହୋଇଥିଲା l ଦୀର୍ଘ ସମୟ ପରେ କୌଣସି ସୂତ୍ରରୁ ପୋଲିସ ଖବରପାଇ ଆଖୁପଦର ଗ୍ରାମରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଗୀତାଞ୍ଜଳିଙ୍କ ମୃତଦେହ ଜବତ କରିଥିଲା । ଏହାସହ ଅଭିଯୁକ୍ତ ସ୍ୱାମୀକୁ ଥାନାକୁ ଆଣି ପଚରାଉଚୁରା କରୁଥିବା ଜଣାପଡିଛି ।