ଗଜପତି: ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ । ପାରିବାରିକ କଳହ ନେଇଛି ହତ୍ୟାର ରୂପ । ଏଭଳି ଗୋଟିଏ ଚାଞ୍ଚଲ୍ୟକର ଘଟଣା ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କୁଙ୍କୁଣି-ଭାଲିଆସାହି ଗାଁରେ ଦେଖିବାକୁ ମିଳିଛି । ଏହି ବୀଭତ୍ସ ହତ୍ୟାକାଣ୍ଡ ଦେଖି ପୂରା ଅଞ୍ଚଳ ସ୍ତବ୍ଧ ହୋଇଯାଇଛି। ମୃତକ ଜଣଙ୍କ ହେଉଛି ଉକ୍ତ ଗ୍ରାମର ରେଶମା ନାୟକ । ଅଭିଯୁକ୍ତ ସ୍ୱାମୀ ଅନନ୍ତ ବାଗସିଂକୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ କରୁଛି ।
ସୂଚନା ଅନୁସାରେ, ଗତକାଲି ରାତିରେ ଉଭୟ ସ୍ୱାମୀ, ସ୍ତ୍ରୀ ମୋହନା ବଜାରକୁ ବୁଲିବାକୁ ଆସିଥିଲେ । ରାତି ପ୍ରାୟ ୧୦ଟାରେ କୁଙ୍କୁଣୀ ଗାଁକୁ ଫେରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଉତକ୍ଷିପ୍ତ ହୋଇ ସ୍ୱାମୀ ଅନନ୍ତ ଗୋଟିଏ କଟୁରୀରେ ସ୍ତ୍ରୀ ରେଶମାର ବେକ ଓ ମୁହଁକୁ ହାଣି ଦେଇଥିଲା।ପରିବାର ଲୋକେ ବିଳମ୍ବିତ ରାତିରେ ମୋହନା ମେଡିକାଲ ଆଣିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ସ୍ବାମୀକୁ ଅଟକ ରଖି ଅଧିକା ତଦନ୍ତ କରୁଛି ।