କଟକ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦୁଇ ଅଭିଯୁକ୍ତଙ୍କ ଆଜି ଠାରୁ ଦୁଇ ଦିନିଆ ରିମାଣ୍ଡ। ବୋର୍ଡ କର୍ମଚାରୀ ଜିତନ ମହାରଣା ଓ ରାୟଗଡ଼ା ଜିଲ୍ଲାର ଅବସରପ୍ରାପ୍ତ ଶିକ୍ଷକ ବିଜୟ ମିଶ୍ରଙ୍କ ଦୁଇ ଦିନିଆ ରିମାଣ୍ଡ ଆରମ୍ଭ ହୋଇଛି । ଆଜି ଓ ଆସନ୍ତାକାଲି ଦୁଇ ଦିନ ଜେରା କରାଯିବ । ଏହାପରେ କୋର୍ଟରେ ଉଭୟଙ୍କୁ ହାଜର କରିବ କ୍ରାଇମବ୍ରାଞ୍ଚ ।
ପ୍ରଶ୍ନପତ୍ର ଲିକ୍ ଘଟଣାରେ ବର୍ତ୍ତମାନ ସୁଦ୍ଧା ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ସମେତ ୮ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜିତନ୍ ମହାରଣା ଓ ବିଜୟ ମିଶ୍ରଙ୍କ ଭୂମିକା ସକ୍ରିୟ ରହିଥିଲା । ଉଭୟଙ୍କ ମଧ୍ୟରେ ପ୍ରଶ୍ନପତ୍ର ଲିକ୍ ନେଇ ଆର୍ଥିକ କାରବାର ହୋଇଥିବାର ମଧ୍ୟ ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ । ଏହି ଦୁଇ ଦିନରେ ଉଭୟଙ୍କୁ ସାମ୍ନାସାମ୍ନି ଜେରା କରାଯିବ ବୋଲି ଜଣାପଡିଛି।
ଜିତନ ମହାରଣା ହିଁ ପ୍ରଥମ ବ୍ୟକ୍ତି ଯିଏ କି ବୋର୍ଡର ଉପସଭାପତିଙ୍କ ଲାପଟପରୁ ପ୍ରଶ୍ନପତ୍ର ପେନଡ୍ରାଇଭ ଜରିଆରେ ଚୋରି କରିଥିଲା । ଏହି ପ୍ରଶ୍ନପତ୍ର ଶିକ୍ଷକ ନେତା ବିଜୟ ମିଶ୍ରଙ୍କୁ ପଠାଇଥିଲା । ଏହା ବଦଳରେ ୨ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ପାଇଥିଲା। ତେବେ ଏହି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଉ କେତେ ମନିଟ୍ରେଲ ହୋଇଛି ସେନେଇ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ। ଜେରା ବେଳେ ଆଉ କାହା କାହା ପାଖକୁ ପ୍ରଶ୍ନପତ୍ର ପଠାଯାଇଛି ସେନେଇ ପ୍ରଶ୍ନ କରିବ କ୍ରାଇମବ୍ରାଞ୍ଚ । ବୋର୍ଡର ଆଉ କେଉଁ କେଉଁ କର୍ମଚାରୀ ଏହି ଘୋଟଲାରେ ସଂପୃକ୍ତ ସେ ନେଇ ମଧ୍ୟ ଏକାଧିକ ପ୍ରଶ୍ନ ପ୍ରସ୍ତୁତ କରି ରଖିଛି କ୍ରାଇମବ୍ରାଞ୍ଚ ।