ବରଗଡ଼: ଗାଇସିଲେଟ୍ ଥାନା ଫିରିଙ୍ଗିମାଲ ଗାଁର ନାବାଳିକା ପୋଡ଼ି ହୋଇ ମୃତ୍ୟୁବରଣ କରିବା ମାମଲାରେ ବଡ଼ ସୂଚନା ସାମ୍ନାକୁ ଆସିଛି । ପାରିବାରିକ କଳହରୁ ପୀଡ଼ିତା ଏପରି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ।
ବରଗଡ଼ ମାମଲାରେ ପୋଲିସ ତଦନ୍ତକୁ ଆରମ୍ଭରୁ ତୀବ୍ର କରାଯାଇଛି । ପୀଡ଼ିତାଙ୍କ ପରିବାର ସମସ୍ତ ସଦସ୍ୟଙ୍କର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପାରିବାରିକ କଳହରୁ ନାବାଳିକା ଜଣକ ଦେହରେ ପେଟ୍ରୋଲ ଢାଳି ଆତ୍ମଦାହ କରିଛନ୍ତି । ବୟାନ ରେକର୍ଡ ସମୟରେ ମୃତ ପୀଡ଼ିତାଙ୍କ ମାମୁଁ ଝିଅ ଚେତାଶୂନ୍ୟ ହୋଇପଡ଼ିଥିଲେ । ତାଙ୍କୁ ମଧ୍ୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେ ବର୍ତ୍ତମାନ ସୁସ୍ଥ ଥିବା କହିଛନ୍ତି ଉତ୍ତରାଞ୍ଚଳ ଆଇଜି ।
ଅନ୍ୟପକ୍ଷରେ ପୀଡ଼ିତା ଜୀବିତ ଥିବା ଅବସ୍ଥାରେ ଉଦ୍ଧାର କରିଥିବା ଲୋକମାନେ ତାଙ୍କର ଭିଡ଼ିଓ ଉତ୍ତୋଳନ କରିଥିଲେ । ଉକ୍ତ ଭିଡ଼ିଓରେ ମଧ୍ୟ ପୀଡ଼ିତା ଜଣକ ନିଜ ନାଁ ଏବଂ ବୟସ କହିଥିଲେ । ଆଉ ମୁର୍ମୁଷ ଅବସ୍ଥାରେ ଜଣେ ଟୁକେଲ୍ (ଝିଅ)ର କଥା କହୁଥିଲେ । “ମୋତେ ଜଲଦି ନିଅ...ଜଲଦି ନିଅ” ବୋଲି କହୁଥିଲେ । ତେବେ କେଉଁ ଝିଅ କଥା କହୁଥିଲେ ତାହା ସ୍ପଷ୍ଟ ହୋଇ ନାହିଁ ।
ଆଜି ସକାଳେ ଗାଇସିଲେଟ ଥାନା ଫିରିଙ୍ଗିମାଳ ଗାଁରେ ୧୩ ବର୍ଷର ନାବାଳିକାଙ୍କୁ କିଏ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା । ନାବାଳିକାଙ୍କ ସମ୍ପୂର୍ଣ୍ଣ ଶରୀର ପୋଡ଼ି ହୋଇଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥା ପ୍ରଥମେ ବରଗଡ଼ ମୁଖ୍ୟଚିକିତ୍ସାଳୟ ଏବଂ ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର କିଛି ସମୟ ପରେ ପୀଡ଼ିତାଙ୍କର ପ୍ରାୟ ବାୟୁ ଉଡ଼ିଯାଇଥିଲା ।
ବରଗଡ଼ ଏସପି ତିନି ଜଣ ଆଇଆଇସିଙ୍କୁ ନେଇ ତଦନ୍ତକାରୀ ଟିମ ଗଠନ କରିଛନ୍ତି । ଘଟଣାର ଆରମ୍ଭରୁ ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ପଚରାଉଚରା କରିଛି ।
ପୀଡ଼ିତାଙ୍କ ବାପା ରାଜ୍ୟ ବାହାରେ କାମ କରନ୍ତି । ସେ ପିଲା ଦିନରୁ ସପ୍ତମ ଶ୍ରେଣୀ ଯାଏ ମାମୁଁ ଘରେ ରହି ପାଠ ପଢ଼ୁଥିଲେ । ଏହା ପରେ ଅଷ୍ଟମରୁ ଆଉ ପଢ଼ିନଥିଲେ ।