ମହାରାଷ୍ଟ୍ର ନାଗପୁରରୁ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କ ହୃଦୟ ଥରାଇବ। ଦୁର୍ଘଟଣାରେ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଛି, ହେଲେ ଶବ ଉଠାଇ ନେବାକୁ କେହି ସାହାର୍ଯ୍ୟ ନ କରିବାକୁ ଶେଷରେ ବାଧ୍ୟ ହୋଇ ସ୍ୱାମୀ ପତ୍ନୀଙ୍କ ଶବକୁ ବାଇକରେ ବୋହି ନେଉଛନ୍ତି। ଏହି ଦୃଶ୍ୟ ଯେତିକି ହୃଦୟ ବିଦାରକ, ସେତିକି ଅମାନବୀୟ ବି।
ମହାରାଷ୍ଟ୍ରର ନାଗପୁର- ଜବଲପୁର ଜାତୀୟ ରାଜପଥରେ ଘଟିଛି ଏହି ଘଟଣା। ସୂଚନା ମୁତାବିକ, ଗତକାଲି ୧୦ ଅଗଷ୍ଟ(ରବିବାର) ଅମିତ ଯାଦବ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ଯାଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ ଧକ୍କାରେ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା, ତେବେ ସେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ, କିନ୍ତୁ ରାସ୍ତାଘାଟରେ ଥିବା କେହି ତାଙ୍କୁ ସାହାଯ୍ୟ କରିନଥିଲେ। ଏପରିକି ଦୀର୍ଘ ସମୟ ଧରି ମୃତଦେହ ରାସ୍ତାରେ ପଡ଼ିରହିଥିଲେ ବି କେହି ଗାଡ଼ି ଅଟକାଇବା କିମ୍ବା ମାନବିକତା ଦେଖାଇବାକୁ ପ୍ରସ୍ତୁତ ନଥିଲେ।
କୌଣସି ସାହାଯ୍ୟ ନ ପାଇବାରୁ ଅମିତ ତାଙ୍କ ପତ୍ନୀଙ୍କ ମୃତଦେହକୁ ବାଇକରେ ବାନ୍ଧି ମଧ୍ୟପ୍ରଦେଶରେ ଥିବା ନିଜ ଗାଁକୁ ନେବାକୁ ଚେଷ୍ଟା କରିଥିଲେ। କିଛି ସମୟ ପରେ ଏକ ପୋଲିସ ଭ୍ୟାନ ତାଙ୍କୁ ଅନୁସରଣ କରି ଅଟକାଇଥିଲା। ପୋଲିସ ମୃତଦେହକୁ ନାଗପୁରର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜକୁ ମୃତଦେହ ପରୀକ୍ଷା ପାଇଁ ପଠାଇଥିଲେ ଏବଂ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରିଥିଲେ।
ଅଧିକାରୀଙ୍କ କହିବା ଅନୁସାରେ, ମୃତଦେହ ପରୀକ୍ଷା ରିପୋର୍ଟ ପାଇବା ପରେ ସେମାନେ ପରବର୍ତୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ। ଅଧିକାରୀମାନେ ଜଣାଇଛନ୍ତି ଯେ, ଏହି ଦମ୍ପତି ନାଗପୁରର ଲୋନାରାରେ ରହୁଥିଲେ, କିନ୍ତୁ ସେମାନେ ମୂଳତଃ ମଧ୍ୟପ୍ରଦେଶର ସିଓନି ଅଞ୍ଚଳର ବାସିନ୍ଦା ଥିଲେ।