ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଗର୍ଜିଛନ୍ତି ବିରୋଧୀ ଦଳର ନେତୃବୃନ୍ଦ । ନିର୍ବାଚନୀ ଅନିୟମିତତା, SIR, ଭୋଟ୍ ଚୋରୀ ଆଦି ଅଭିଯୋଗରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଇଣ୍ଡି ମେଣ୍ଟର ୨୫ଟି ଦଳର ପ୍ରମୁଖ ସାଂସଦମାନେ ଶୋଭାଯାତ୍ରା ଆରମ୍ଭ କରିଛନ୍ତି । ସଂସଦ ଭବନରୁ ଶୋଭାଯାତ୍ରା ବାହାରି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟକୁ ଯିବ ।
ମତାଦାତା ତାଲିକାରେ ହେରଫେର ଅଭିଯୋଗ କରିଛନ୍ତି ସାଂସଦ ରାହୁଲ ଗାନ୍ଧୀ । ଏହା ବିରୋଧୀଙ୍କ ପ୍ରଥମ ଆନ୍ଦୋଳନ ଅଟେ । ଏଥିରେ ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ, ଶରଦ ପାୱାର, ସାଂସଦ ପ୍ରିୟଙ୍କା ଗାନ୍ଧୀ, ଶଶି ଥରୁର, ଜୟରାମ ରମେଶ, ଅଖିଳେଶ ଯାଦବ (ସମାଜପାର୍ଟୀର ଅଧ୍ୟକ୍ଷ), ସାଂସଦ ଡିମ୍ପଲ ଯାଦବ (ସମାଜପାର୍ଟୀ) ଓ ସଞ୍ଜୟ ରାଉତ (ଶିବସେନା) ପ୍ରମୁଖ ସାମିଲ ହୋଇଛନ୍ତି ।
ତେବେ ଏହି ଆନ୍ଦୋଳନ ପାଇଁ ବିରୋଧୀ ଦଳ ଦିଲ୍ଲୀ ପୋଲିସଠାରୁ ଅନୁମତି ନେଇ ନଥିବା ଜଣାପଡ଼ିଛି । ବିନା ଅନୁମତି ଆନ୍ଦୋଳନ କରାଯାଉଛି ।
ପୋଲିସ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ନେତାଙ୍କୁ ଅଟକ ରଖିଛି ।
ଅନ୍ୟପକ୍ଷରେ ନିର୍ବାଚନ ଆୟୋଗ ସଚିବାଳୟ ପକ୍ଷରୁ କଂଗ୍ରେସ ସାଂସଦ ଜୟରାମ ରମେଶଙ୍କୁ ଚିଠି କରାଯାଇଛି । ଆଜି ଆଲୋଚନା କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ସ୍ଥାନ ଏବଂ ପାର୍କିଂ ସମସ୍ୟା ପାଇଁ ସର୍ବାଧିକ ୩୦ ଜଣ ବୈଠକରେ ସାମିଲ ହୋଇ ପାରିବେ ବୋଲି କୁହାଯାଇଛି ।