ନୂଆଦିଲ୍ଲୀ: କଂଗ୍ରେସ ଏବଂ ରାହୁଲ ଗାନ୍ଧୀ ଦିଗହୀନ ହୋଇଯାଇଛନ୍ତି । ଲୋକତନ୍ତ୍ରରେ କଂଗ୍ରେସର କୌଣସି ଲୋକ ଲଜ୍ଜ୍ୟା ବଞ୍ଚି ନାହିଁ । ଦେଶରରେ ଅରାଜକତା ଆଣିବା ଏହା ତାଙ୍କର ସୁଚିନ୍ତିତ ଷଡ଼ଯନ୍ତ୍ର । ଆଜି ଏଭଳି ଶାଣିତ ସ୍ୱରରେ ଧୋଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଦିଲ୍ଲୀ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ଆୟୋଗଙ୍କ ବିରୋଧରେ ଆନ୍ଦୋଳନକୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଏସ୍ଆଇଆର୍ ଏକ ନିୟମିତ ପ୍ରକ୍ରିୟା ଅଟେ । ଏଥିରେ ମତଦାତାଙ୍କ ସୂଚୀକୁ ସମୀକ୍ଷା କରାଯାଇଥାଏ । କିନ୍ତୁ କଂଗ୍ରେସ କେତେବେଳେ ଇଭିଏମ୍ ଉପରେ ପ୍ରଶ୍ନ ଉଠାଉଛି, କେତେବେଳେ ମହାରାଷ୍ଟ୍ର ତ ଆଉ ଆଉ କେତେବେଳେ ହରିୟାଣା ପ୍ରସଙ୍ଗ ଉଠାଉଛି । ଅନେକ ରାଜ୍ୟରେ ନିରନ୍ତର ପରାଜୟ ପରେ କଂଗ୍ରେସର ଏପରି ହେଉଛି ।
କଂଗ୍ରେସ ପାଖରେ କୌଣସି ମୁଦ୍ଦା ନାହିଁ । କଂଗ୍ରେସ ପାର୍ଟି ଏବେ ଦେବାଳିଆ ହୋଇପଡ଼ିଛି । ଇଭିଏମ୍, ରାଫେଲ, ଭାରତ-ଚୀନ ସୀମା ବିବାଦକୁ ନେଇ ସେନା ଉପରେ ପ୍ରଶ୍ନ ଉଠାଇଥିଲେ । କଂଗ୍ରେସକୁ ବିଚାରଗତ ଲକ୍ଷ୍ୟହୀନତା ଘେରି ରହିଛି । ନିର୍ବାଚନ ହାରିବା ପରେ ରାହୁଲ ଗାନ୍ଧୀ ଏଭଳି ମିଛ କହି ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର । କଂଗ୍ରେସର ଅରାଜକତା ଯୋଜନା ପ୍ରଜାତନ୍ତ୍ର ପାଇଁ କ୍ଷତିକାରକ ଅଟେ ।
ଅନୁପ୍ରବେଶକାରୀଙ୍କୁ ଭୋଟଦାତା ପ୍ରମାଣ କରିବାକୁ କଂଗ୍ରେସ ଚେଷ୍ଟା କରୁଛନ୍ତି । କଂଗ୍ରେସକୁ ପ୍ରସଙ୍ଗଭିତ୍ତିକ ଉପରେ ରାଜନୀତି କରିବାକୁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର । କଂଗ୍ରେସ ଯେଉଁଭଳି ଭାବେ ଅରଜାକତା ସୃଷ୍ଟି କରୁଛନ୍ତି ତାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଯାହାକୁ ସେ କଡ଼ାରୁ କଡ଼ା ନିନ୍ଦା କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ନିର୍ବାଚନୀ ଅନିୟମିତତା, SIR, ଭୋଟ୍ ଚୋରୀ ଆଦି ଅଭିଯୋଗରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଇଣ୍ଡି ମେଣ୍ଟର ୨୫ଟି ଦଳର ପ୍ରମୁଖ ସାଂସଦମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ସଂସଦ ଭବନରୁ ଶୋଭାଯାତ୍ରା ବାହାରି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଅଭିମୁଖେ ଯିବା ବେଳେ ପୋଲିସ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନେକ ସାଂସଦଙ୍କୁ ଅଟକ ରଖିଛି ।