ବେଙ୍ଗାଲୁରୁ: କର୍ଣ୍ଣାଟକର ସମବାୟ ମନ୍ତ୍ରୀ କେ.ରାଜନ୍ନାଙ୍କୁ ଇସ୍ତଫା ଦେବାକୁ କହିବା ରାଜ୍ୟ ରାଜନୀତିରେ ଚହଳ ପଡିଛି । ରାଜନ୍ନାଙ୍କୁ ସିଦ୍ଧରମୈୟାଙ୍କ ଘନିଷ୍ଠ ନେତା କୁହାଯାଏ । ତେଣୁ ତାଙ୍କୁ ଇସ୍ତଫା ଦେବାକୁ କୁହାଯିବା କର୍ଣ୍ଣାଟକ ରାଜନୀତି ଦୃଷ୍ଟିକୋଣରୁ ବେଶ ମହତ୍ୱ ବହନ କରୁଛି । ଇସ୍ତଫା ଦେବା ପୂର୍ବରୁ ମନ୍ତ୍ରୀ ରାଜନ୍ନା ବିଧାନସଭାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଭେଟିଛନ୍ତି । ପାର୍ଟି କହିଛି ଯେ, ଅଚାନକ ମନ୍ତ୍ରୀଙ୍କଠୁ କାହିଁକି ଇସ୍ତଫା ନିଆଗଲା, ସରକାରଙ୍କୁ ଏହି ବିଷୟରେ ସୂଚନା ଦେବା ଉଚିତ୍ ।
କୁହାଯାଉଛି ରାଜନ୍ନାଙ୍କୁ ଭୋଟର ତାଲିକା ମାମଲାରେ ରାହୁଲ ଗାନ୍ଧୀଙ୍କ ବିପରୀତ ବୟାନ ଦେବାର ପରିଣାମ ଭୋଗିବାକୁ ପଡିଛି । ରାହୁଲ ଗତ ସପ୍ତାହରେ କର୍ଣ୍ଣାଟକର ଉଦାହରଣ ଦେଇ ଅଭିଯୋଗ କରିଥିଲେ ଯେ, ଏଠାରେ ଏକ ଲକ୍ଷ ଭୋଟ୍ ଚୋରି ହୋଇଛି । ଏହା ଉପରେ ପ୍ରଶ୍ନ ଉଠାଇ ରାଜନ୍ନା କହିଥିଲେ ଯେ, ଯଦି କର୍ଣ୍ଣାଟକରେ ଏମିତି ହୋଇଛି, ତେବେ ସରକାରଙ୍କୁ ମଧ୍ୟ ଦାୟିତ୍ୱ ନେବା ଉଚିତ୍ । ସେ କହିଥିଲେ, କର୍ଣ୍ଣାଟକରେ ଭୋଟର ତାଲିକା ସଂଶୋଧନ ତ କଂଗ୍ରେସ ସରକାର ଅମଳରେ ହୋଇଥିଲା । ତେଣୁ କଂଗ୍ରେସ ସରକାରର ବି ଦାୟିତ୍ୱ ଥିଲା ଯେ, ଭୋଟର ତାଲିକା ଉପରେ ନଜର ରଖିବା । ସେହି ସମୟରେ ଏହି ପ୍ରଶ୍ନ ଉଠାଇଥିଲେ ବୋଧହୁଏ ଆଜି ଏମିତି ପ୍ରଶ୍ନ ଉପୁଜି ନ ଥାନ୍ତା ।
ଡିକେ ଶିବକୁମାରଙ୍କ ଗୋଷ୍ଠୀ ରାଜନ୍ନାଙ୍କ ଏହି ବୟାନ ଉପରେ ପ୍ରଶ୍ନ ଉଠାଇଥିଲେ । ଶେଷରେ ହାଇକମାଣ୍ଡ ସିଦ୍ଧରମୈୟାଙ୍କୁ ରାଜନ୍ନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । ରାହୁଲଙ୍କ ବିପରୀତ ବୟାନ ଦେବା କାରଣରୁ ତାଙ୍କ ବିରୋଧରେ ଏମିତି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି । ରାଜନ୍ନା କହିଥିଲେ ଯେ, ଏସବୁ ଆମ ନାକ ତଳେ ହେଉଥିବା ବେଳେ ଆମକୁ ସେହି ସମୟରେ ପ୍ରଶ୍ନ ଉଠାଇବାର ଥିଲା ।