ବରଗଡ଼: ଆଖି ବୁଜିଲେ ବରଗଡ଼ ନାବାଳିକା । ସୋମବାର ସକାଳେ ବରଗଡ଼ରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ବରଗଡ଼ ଦାୟିତ୍ୱରେ ଥିବା ବଲାଙ୍ଗୀର ଏସପି ଅଭିଳାଷ.ଜି ସୂଚନା ଦେଇଛନ୍ତି । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା କହିଲେ ଭାରପ୍ରାପ୍ତ ଏସପି ।
ସୋମବାର ସକାଳେ ଗାଇସିଲଟ ଥାନା ଫିରିଙ୍ଗିମାଳ ଗାଁରେ ୧୩ ବର୍ଷର ନାବାଳିକାଙ୍କୁ କିଏ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା । ନିଜ ଘର ପଛପଟ ପଡ଼ିଆରେ ନାବାଳିକା ଜଣଙ୍କ ଜଳୁଥିବାର ଦେଖିବାକୁ ପାଇଥିଲେ ପାଖ ପଡୋଶୀ । ନିଆଁ ଲିଭାଇବା ସହ ନାବାଳିକା କେମିତି ପୋଡ଼ି ହେଲେ ବୋଲି ପଚାରିଥିଲେ । ଆଉ ଜଳି ଯାଇଥିବା ନାବାଳିକା କହିଥିଲେ ତାଙ୍କ ସହ କଣ ହୋଇଛି। କେହି ଜଣେ ଝିଅ ତାଙ୍କୁ ହତ୍ୟା କରିବାକୁ ଚାହୁଥିବା ନିଜ ବୟାନରେ କହିଛନ୍ତି ନାବାଳିକା ଜଣଙ୍କ ।
ନାବାଳିକାଙ୍କ ସମ୍ପୂର୍ଣ୍ଣ ଶରୀର ପୋଡ଼ି ହୋଇଯାଇଥିଲା । ପଡ଼ିଆରୁ ପେଟ୍ରୋଲ୍ ବୋତଲ ଓ ଦିଆସିଲ ମଧ୍ୟ ମିଳିଛି। ତେବେ ଏହା ଆତ୍ମାହୃତି ନା କେହି ଜାଳିଦେଇଛି ତାହା ସ୍ପଷ୍ଟ ହୋଇନି । ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୩ ବର୍ଷୀୟା ନାବାଳିକା ପୋଡ଼ିକୁ ନେଇ ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି । ସେପଟେ ବରଗଡ଼ ଗାଇସିଲଟ ନାବାଳିକା ପୋଡ଼ି ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ଟିମ । ତିନି ଜଣ ଆଇଆଇସିଙ୍କୁ ନେଇ ଟିମ ଗଠନ ହୋଇଛି । ପୁଲିସ ଟିମ୍ ଫିରିଙ୍ଗିମାଳ ଗାଁକୁ ଯାଇ ଘଟଣାର ତଦନ୍ତ କରିବ ।