ବରଗଡ଼: ରାଜ୍ୟରେ ଜଳୁଛନ୍ତି ଝିଅ । ଗତ ଏକ ମାସ ମଧ୍ୟରେ ଗୋଟିଏ ପରେ ଗୋଟିଏ ଏଭଳି ସଙ୍ଗୀନ ମାମଲା ସାମ୍ନାକୁ ଆସିଛି । ନିଜର ପ୍ରେମ ସମ୍ପର୍କ ପାଇଁ ହେଉ କିମ୍ବା ଅନ୍ୟ କୌଣସି କାରଣ, କିନ୍ତୁ ଜୀବନକୁ ହାରିବାକୁ ନିଆଁକୁ ବାଛି ନେଉଛନ୍ତି ସହଜ ଉପାୟ । ଏହି କ୍ରମରେ ବରଗଡ଼ ଜିଲ୍ଲାରେ ଗାଇସିଲେଟ୍ ଥାନା ଫିରିଙ୍ଗିମାଲ ଗାଁରେ ପୋଡ଼ି ହୋଇଥିବା ନାବାଳିକାକୁ ଗୁରୁତର ଅବସ୍ଥାରେ ବୁର୍ଲା ଭିମସାର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ମେଡ଼ିକାଲ ପରିସରରେ ପୋଲିସ ମୁତୟନ କରାଯାଇଛି । ନାବାଳିକା ଜଣକ ସମ୍ପୂର୍ଣ୍ଣ ଜଳି ଯାଇଛନ୍ତି । ସେ କଥାବାର୍ତ୍ତା କରୁଥିବାବେଳେ ତାଙ୍କ ଗୋଡ଼ଠାରୁ ନେଇ ମୁଣ୍ଡ ପର୍ଯ୍ୟନ୍ତ ସବୁକିଛି ପୋଡ଼ି ଯାଇଛି । ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ବର୍ଣ୍ଣ ୟୁନିଟ୍ ନ ଥିବାରୁ ତାଙ୍କୁ ତୁରନ୍ତ ବୁର୍ଲା ନିଆଯାଇଛି । ବରଗଡ଼ ଏସପି ଅଭିଳାଷ ଜି. ଆମ୍ବୁଲାନ୍ସ ସହିତ ଯାଇଛନ୍ତି । ସେପଟେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ କିଛି ହେବ ନାହିଁ ବୋଲି କହିଛନ୍ତି ବରଗଡ଼ ସିଡିଏମଓ ଡାକ୍ତର କୁବେର ମହାନ୍ତ ।
ନାବାଳିକା ଜଣକ କେମିତି ପୋଡ଼ି ହେଲେ ତାହା ଅସ୍ପଷ୍ଟ ରହିଥିବାବେଳେ ତଦନ୍ତ ପାଇଁ ଟିମ୍ ଗଠନ ହୋଇଛି । ତିନି ଜଣ ଆଇଆଇସିଙ୍କୁ ନେଇ ଟିମ୍ ଗଠିତ ହୋଇଛି । ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଁଚି ସାରିଛି । ଘଟଣା ସ୍ଥଳରେ ନାବାଳିକାର ହିଲ୍ସ ଏବଂ ଏକ ପ୍ଲାଷ୍ଟିକ୍ ବୋତଲ ପଡ଼ିଛି । ରାଜ୍ୟ ସରକାର ବାଲେଶ୍ୱର ଘଟଣା ପରେ ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ୍ ବିକ୍ରି କରିବାକୁ କଟକଣା ଜାରି କରିଥିବାବେଳେ ନାବାଳିକା ଜଣକ କେଉଁଠୁ କିରୋସିନ ଆଣିଲେ ତାହା ଏବେ ବଡ଼ ପ୍ରଶ୍ନ ।
ନାବାଳିକା ଜଣକ ବାପା ରାଜ୍ୟ ବାହାରେ ରହି କାମ କରୁଛନ୍ତି । ସେ ତାଙ୍କ ମାଆଙ୍କ ସହିତ ମାମୁଁ ବିନୋଦ ସେଠଙ୍କ ଘରେ ରହୁଥିଲେ । ତେବେ ଆଜି ସକାଳେ ନିକଟସ୍ଥ ଫୁଟବଲ ପଡିଆରେ ନାବାଳିକା ନିଜକୁ ଜାଳି ଦେଇଥିବା ସ୍ଥାନୀୟ ଲୋକେ କହୁଛନ୍ତି । ନାବାଳିକାକୁ ଜଳୁଥିବା ଅବସ୍ଥାରେ ଦେଖି ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ । ତାଙ୍କ ବୟସ ମାତ୍ର ୧୩ ବର୍ଷ ବୟସ ହୋଇଥିବାବେଳେ ସେ ଅଷ୍ଟମ ଶ୍ରେଣୀରୁ ପାଠ ପଢ଼ା ଛାଡ଼ି ଦେଇଥିବା ଜଣାପଡ଼ିଛି ।