ଭୁବନେଶ୍ୱର : ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ବିବାଦ ତେଜିବାରେ ଲାଗିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ , ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ କରାଯିବ । ପୁରୀରୁ ଦାରୁ କିପରି ଦୀଘା ଗଲା ତଦନ୍ତ ହେଲା ପରେ ସବୁ ସ୍ପଷ୍ଟ ହେବ । ଜଗନ୍ନାଥ ମନ୍ଦିର କରିବାରେ କିଛି ଅସୁବିଧା ନାହିଁ ହେଲେ ଦାରୁ କିପରି ଦୀଘାରେ ପହଞ୍ଚିଲା ତାହାର ତଦନ୍ତ ନିଶ୍ଚିତ ହେବ।
ଆଜି ଅପରାହ୍ନରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ ବୋଲି ଆଇନମନ୍ତ୍ରୀ କହିଛନ୍ତି । ମନ୍ତ୍ରୀଙ୍କ ଚିଠି ପରେ ଶ୍ରୀମନ୍ଦିର ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି ।
ସୂଚନା ଥାଉକି ଏପ୍ରିଲ ୩୦ରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଦୀଘାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଉଠିଛି । ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପୁରୀ ଶ୍ରୀମନ୍ଦିରର କେତେଜଣ ସେବାୟତ ଯୋଗଦେଇଥିବାବେଳେ ସମ୍ପୃକ୍ତ ସ୍ଥାନକୁ ‘ଜଗନ୍ନାଥ ଧାମ’ ରୂପେ ନାମକରଣ କରାଯାଇଥିଲା ତେବେ ଏହା ଏବେ ହଟାଯାଇଛି । ଏପରି କି ନବକଳେବର ଦାରୁରେ ଠାକୁରଙ୍କ ମୂର୍ତ୍ତି ନିର୍ମାଣ କରାଯାଇ ବ୍ରହ୍ମସ୍ଥାପନ ହୋଇଥିବା ଚର୍ଚ୍ଚା ମଧ୍ୟ ହେଉଛି। ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପୁରୀରୁ ୭ରୁ ୮ଜଣ ଦଇତାପତି ସେବାୟତ ନିମନ୍ତ୍ରିତ ଅତିଥି ରୂପେ ଯୋଗଦେଇଥିଲେ। ଯାହାକୁ ନେଇ ଏବେ ବିବାଦ ତେଜିଛି ।