ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଫଳରେ ସାରା ରାଜ୍ୟରେ ବର୍ଷା ଯାରି ରହିଛି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୪ ଜିଲ୍ଲା ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ପାଇଁ ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କଟକ, କୋରାପୁଟ, ନବରଙ୍ଗପୁର ଜିଲ୍ଲାକୁ ମଧ୍ୟ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଏହା ସହିତ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ପ୍ରବଳ ବର୍ଷା ପାଇଁ ବୈତରଣୀ, ବୁଢ଼ାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ନଦୀରେ ଜଳ ବୃଦ୍ଧି ପାଇବା ଆଶଙ୍କା ରହିଛି । ବର୍ଷାରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ବର୍ଷା ପାଇଁ ମାଲକାନଗିରି ମଧ୍ୟ ପ୍ରଭାବିତ ହୋଇଛି। ଅଧିକ ବର୍ଷା ଯୋଗୁଁ ଜିଲ୍ଲାରେ ଦୁଇଟି ବ୍ରିଜ ଉପରେ ପାଣି ପ୍ରବାହିତ ହେଉଛି। ଯାହା ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ପୋଲିସ ନିୟୋଜିତ ହୋଇ ଏହା ଉପରେ ନଜର ରଖିଛନ୍ତି। ଅଟକ ଯାତ୍ରୀଙ୍କୁ ଶୁଖିଲା ଖାଦ୍ୟ, ଶିଶୁ ଖାଦ୍ୟ ପ୍ରଦାନ କରାଯାଉଛି। । ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ହେଉଛି। ଅଗ୍ନିଶମ, ଏନଡିଆରଏଫ, ଓଡ୍ରାଫ ଟିମ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ ହୋଇଛନ୍ତି।