ଦିନକୁ ଦିନ ବଢୁଛି ତାପମାତ୍ରା। 'ଏଲ ନିନୋ' ପ୍ରଭାବରେ ଅନ୍ୟ ବର୍ଷ ତୁଳନାରେ ଚଳିତ ବର୍ଷ ଦେଶର ଅଧିକାଂଶ ସ୍ଥାନରେ ଅଧିକ ଗରମ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ-IMDI ତେବେ ଭୀଷଣ ଗ୍ରୀଷ୍ମପ୍ରବାହ ସମ୍ଭାବନାକୁ ଦୃଷ୍ଟି ସତର୍କତାମୂଳକ ପଦକ୍ଷେପ ନେବାକୁ କହିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଗଣଶିକ୍ଷା ବିଭାଗର ସବୁ ନିର୍ଦ୍ଦେଶକ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ନୋଟିସ ଜାରି କରାଯାଇଛି।
ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଏପ୍ରିଲ ଓ ମେ ମାସରେ ଓଡ଼ିଶାରେ ଅସହ୍ୟ ତାତି ଅନୁଭୂତ ହେବ। ଏନେଇ IMD ତିନିମାସିଆ ପୂର୍ବାନୁମାନ ଜାରି କରିଛି। ଆଗାମୀ ୩-୪ ଦିନ ମଧ୍ୟରେ ତାପମାତ୍ରା ବଢ଼ି ରାଜ୍ୟର କିଛି ଅଞ୍ଚଳରେ ହିଟୱେଭ ଅନୁଭୂତ ହେବ। ଏହାର ପ୍ରଭାବ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଉପକୂଳ ଓଡ଼ିଶାରେ ରହିବା ନେଇ ଆକଳନ କରାଯାଇଛି।
ଏହି ଗ୍ରୀଷ୍ମପ୍ରବାହ ମୁକାବିଲା ଓ ସେଥିପାଇଁ ପ୍ରସ୍ତୁତି ବ୍ୟାପକ ହୋଇଥିବା ବେଳେ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପାଇଁ ପଦକ୍ଷେପ ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେଥିପାଇଁ ଛାତ୍ରଛାତ୍ରୀଙ୍କ ନିମନ୍ତେ ପିଇବା ପାଣିର ବ୍ୟବସ୍ଥା, ଆବଶ୍ୟକସ୍ଥଳେ ଓଆରଏସ୍ ତଥା ବିଦ୍ୟାଳୟ ପରିସରରେ ନଳକୂପ ମରାମତିର ଆବଶ୍ୟକ ଥିଲେ ତୁରନ୍ତ ମରାମତି କରାଯାଉ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆବଶ୍ୟକ ଉପକରଣ ତଥା ଔଷଧ ମହଜୁଦ ରଖିବା ପାଇଁ କୁହାଯାଇଛି। ସେହିପରି ଆଉଟ ଡୋର କାର୍ଯ୍ୟକ୍ରମ ବନ୍ଦ ରଖିବାକୁ କୁହାଯାଇଛି। ତାପମାତ୍ରାକୁ ଆଖି ଆଗରେ ରଖି ଖୁବ ଶୀଘ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଖରା ଛୁଟି ଘୋଷଣା କରାଯାଇପାରେ ବୋଲି ସୂଚନା ମିଳିଛି।
ଅଧିକ ପଢନ୍ତୁ: ସର୍ବସାଧାରଣଙ୍କ ପାଇଁ ଖୋଲିଲା ୟୁଏଇର ହିନ୍ଦୁ ମନ୍ଦିର