କଲବଲ କରୁଛି ପ୍ରଚଣ୍ଡ ତାତି। ତତଲା କଡ଼େଇରେ ସିଝୁଛି ଓଡିଶା। ଅସ୍ତବ୍ୟସ୍ତ ହେଉଛନ୍ତି ରାଜ୍ୟବାସୀ। ଆଗକୁ ଆହୁରି ଉପରମୁହାଁ ହେବ ପାରଦ ।
ଆଗାମୀ ୫ ଦିନ ରାଜ୍ୟରେ ତାତି ଆହୁରି ବଢ଼ିବ। ଆସନ୍ତା ୨୭-୨୮ ତାରିଖ ବେଳକୁ ମୟୂରଭଞ୍ଜ, ବୌଦ୍ଧ, ଖୋର୍ଦ୍ଧା, ଜଗତସିଂହପୁର, ସୁବର୍ଣ୍ଣପୁର, ନୂଆପଡ଼ା, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି, ବାଲେଶ୍ବର ଆଦି ୧୦ ଜିଲ୍ଲାରେ ସିଭିୟର ହିଟ୍ ୱେଭ୍ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସତର୍କ ସୂଚନା ଜାରି କରିଛି । ମଇ ଦ୍ୱିତୀୟ ସପ୍ତାହ ପ୍ରାରମ୍ଭ ଯାଏଁ ଜାରିରହିବ ତାତି।
ପାଣିପାଗ ବିଭାଗ ଆକଳନ ଅନୁଯାୟୀ ୩ ରୁ ୯ ମଇ ମଧ୍ୟ୍ୟରେ ରାଜ୍ୟର ଗ୍ରୀଷ୍ମପ୍ରବାହ ଜାରିରହିବା ସହ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରବାହ ଲାଗିରହିବ, ତଥା ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ୪୨ ରୁ ୪୪°ସେଲସିୟସ୍ ମଧ୍ୟରେ ତାତି ରେକର୍ଡ ହେବାର ସମ୍ଭାବନା ରହିଛି ।
ଆଜି ଦିନ ୨ଟା ସୁଦ୍ଧା ୪୩ ଡିଗ୍ରୀ ଡେଇଁଛି ତାପମାତ୍ରା । ୪୩.୬ ସହ ଝାରସୁଗୁଡ଼ା ପାଲଟିଛି ସବୁଠାରୁ ଉତ୍ତପ୍ତ । ସେହିପରି ରାଜଧାନୀର ତାପମାତ୍ରା ୪୨.୨ ରହିଛି । ସେହିପରି ସମ୍ବଲପୁର ଓ ହୀରାକୁଦ ୪୨.୨ ଡିଗ୍ରୀ ରହିଥିବା ବେଳେ କେନ୍ଦୁଝର ଓ ଚାନ୍ଦବାଲି ୪୧.୮ ତାପମାତ୍ରା ରେକର୍ଡ ହୋଇଛି ।