ଆଜି ହେଉଛି ପବିତ୍ର ରାମ ନବମୀ । ରାମ ନବମୀ ଅବସରରେ ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପ୍ରାୟ ୨୦ ଫୁଟ ଉଚ୍ଚତାର ପ୍ରଭୁ ରାମଙ୍କ ପ୍ରତିକୃତି ନିର୍ମାଣ କରିବା ସହ HAPPY RAM NAVAMI ଲେଖି ଆଜି ଦିନର ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପ୍ରାୟ ୧୨ ଟନ୍ ବାଲିରେ ପ୍ରଭୁ ରାମଙ୍କର ଏହି ସୁନ୍ଦର ପ୍ରତିମୁର୍ତି ନିର୍ମାଣ କରିଛନ୍ତି । ଯେଉଁଥିରେ ପ୍ରଭୁ ରାମଚନ୍ଦ୍ରଙ୍କ ଶୟନ ବେଳର ଦୃଶ୍ୟକୁ ସେ ଅତି ନିଖୁଣ ଭାବରେ ଗଢିଛନ୍ତି । ତେବେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ହୋଇଥିବାରୁ ଏହା ବିଶ୍ୱବାସୀଙ୍କ ପାଇଁ ଏକ ଖୁସି ଖବର ବୋଲି ସୁଦର୍ଶନ କହିଥିବା ବେଳେ ସମଗ୍ର ବିଶ୍ୱରେ ପ୍ରଭୂ ରାମଚନ୍ଦ୍ର ଶାନ୍ତି ବଜାୟ ରଖନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି । ସୁଦର୍ଶନଙ୍କ ନିର୍ମିତ ଏହି ବାଲୁକାକଳାକୁ ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଛି ।