କଟକ : ଦରଘା ବଜାର ଭସାଣ ଗୋଷ୍ଠୀ ସଂଘର୍ଷ ଘଟଣାରେ ୬ ଗିରଫ ହୋଇଛନ୍ତି । ଗତକାଲି ଭସାଣ ସମୟରେ ଡିଜେ ଗୀତକୁ ନେଇ ହୋଇଥିଲା ସଂଘର୍ଷ । ଭସାଣ ବେଳେ ଗୋଟିଏ ପଟୁ ପଥର ଓ କାଚ ମାଡ଼ ମାଡ ହୋଇଥିବା ଅଭିଯୋଗ ହୋଇଛି। ଯାହା ଫଳରେ ୬ ଗୁରୁତର ହୋଇଛନ୍ତି । ଢେଲା ମାଡ଼ରେ କଟକ ଡିସିପି ରିଷିକେଷ ଖିଲାରି ମଧ୍ଯ ଆହତ ହୋଇଥିବା ସୂଚନା ରହିଛି।
ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୨ଟା ସମୟରେ ଝାଞ୍ଜିରମଙ୍ଗଳା ଭାଗବତ ପୂଜା କମିଟିର ପ୍ରତିମା ଶୋଭାଯାତ୍ରାରେ ବିସର୍ଜନ ପାଇଁ ଦେବୀଗଡା ଅଭିମୁଖେ ଯାଉଥିଲା। ଏହି ସମୟରେ ହାତୀପୋଖରୀ ନିକଟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଶୋଭାଯାତ୍ରାରେ ବାଜୁଥିବା ଗୀତକୁ ସ୍ଥାନୀୟ ଲୋକ ବିରୋଧ କରିଥିଲେ। ଏମିତି କି ଗୀତ ବଜାଇବାକୁ ବିରୋଧ କରି ନିର୍ଦ୍ଦିଷ୍ଟ ଗୋଷ୍ଠୀ କାଚ ଓ ପଥର ମାଡ କରିଥିଲେ। ଏହା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ହୋଇଥିଲା ଢେଲା ଓ କାଚ ବୋତଲ ମାଡ। ସେଠାରେ ଥିବା ଗାଡି ମୋଟର ବି ଭାଙ୍ଗିରୁଜି ଯାଇଛି। ଏହି ଗୋଷ୍ଠୀ ସଂଘର୍ଷ କାରଣରୁ ୬ ଗୁରୁତର ହୋଇଛନ୍ତି । ପରିସ୍ଥିତି ରୋକିବା ପାଇଁ ପୋଲିସ୍ ବହୁ ଚେଷ୍ଟା କରିଥିଲା। ତେବେ ପରିସ୍ଥିତି କିଛି ସମୟ ଶାନ୍ତ ପଡିବା ପରେ ରାଉସାପାଟଣା ମେଢ ଆସିବା ବେଳେ ପୁଣି ଢେଲା ପଥର ମାଡ ହୋଇଥିଲା। ପ୍ରତିବାଦରେ ଶୋଭାଯାତ୍ରାରେ ଆସୁଥିବା ଲୋକ ରାସ୍ତା ଉପରେ ଧାରଣାରେ ବସିବା ସହ ଭସାଣ ଶୋଭାଯାତ୍ରା ବନ୍ଦ କରିଥିଲେ। ଫଳରେ ରାତି ସାଢ଼େ ୨ଟା ପରେ ଏହି ରାସ୍ତାରେ ପ୍ରତିମା ଶୋଭାଯାତ୍ରା ବନ୍ଦ ହୋଇଥିଲା। ରାତିରେ ଆକ୍ରମଣକୁ ନେଇ ଧାରଣାରେ ଥିଲେ ଶତାଧିକ ପୂଜା କମିଟି ସଦସ୍ୟ। ଆଜି ପୋଲିସ ଉପସ୍ଥିତିରେ ଭସାଣ ଆରମ୍ଭ ହୋଇଛି।