ଭୁବନେଶ୍ୱର: ଜଙ୍ଗଲ ବିଭାଗର ‘ଥାର୍’ ଗାଡ଼ି କିଣା ଏବଂ ରୂପାନ୍ତରୀକରଣ ଖର୍ଚ୍ଚର ହେବ ସ୍ଵତନ୍ତ୍ର ଅଡିଟ୍ । ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ପିସିସିଏଫ୍ (ବନ୍ୟପ୍ରାଣୀ)ଙ୍କ କାର୍ଯ୍ୟାଳୟରେ ଏଜିର ସ୍ୱତନ୍ତ୍ର ଟିମ୍ ଅଡିଟ୍ କରିବେ ବୋଲି ଚିଠିରେ କୁହାଯାଇଛି ।
୨୦୨୪-୨୫ ଆର୍ଥିକ ବର୍ଷରେ ଜଙ୍ଗଲ ଅଞ୍ଚଳରେ ପାଟ୍ରୋଲିଂ ପାଇଁ ବନ ବିଭାଗ ପକ୍ଷରୁ ଗୋଟିଏ ଥାର୍ ଗାଡ଼ିର ଦାମ ୧୪ ଲକ୍ଷ ଟଙ୍କା ହିସାବରେ ୭ କୋଟିରୁ ଅଧିକ ଟଙ୍କା ବ୍ୟୟରେ ୫୧ଟି ‘ଥାର୍’ ଗାଡ଼ି କିଣାଯାଇଥିଲା । ଏହା ସହିତ ରୂପାନ୍ତରୀକରଣ ବା ମୋଡିଫିକେସନ୍ ପାଇଁ ୫ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିଲା । ଯାହାକୁ ନେଇ ଗତ ଶୀତ ଅଧିବେଶନରେ ପ୍ରଶ୍ନ ଉଠିଥିଲା । ବିଭାଗୀୟ ମନ୍ତ୍ରୀ ମଧ୍ୟ ଖର୍ଚ୍ଚର ସବିଶେଷ ତଥ୍ୟ ଦେଇ ଉତ୍ତର ରଖିଥିଲେ ଏବଂ ଏହାର ତଦନ୍ତ ହେବ ବୋଲି ଗୃହରେ ଉତ୍ତର ରଖିଥିଲେ । ପୂର୍ବ ସରକାରରେ ଏହି ଗାଡ଼ିଗୁଡ଼ିକ କିଣିବାକୁ ଅନୁମୋଦନ କରିଥିଲେ ଏବଂ ଚଳିତ ସରକାରରେ କିଣା ହୋଇଥିଲା ବୋଲି ମନ୍ତ୍ରୀ ଉତ୍ତର ରଖିଥିଲେ ।
ଏବେ ଅଡିଟ୍ ପାଇଁ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ ଚିଠିରେ ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଯେଉଁଥିରେ ‘ଥାର’ ଗାଡ଼ି କିଣା ଏବଂ ମୋଡ଼ିଫିକେସନର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।