ଭୁବନେଶ୍ୱର: ସାରା ଦେଶରେ ସାଇବର ଅପରାଧ ବୃଦ୍ଧି ଏବଂ ଡାଟା ସୁରକ୍ଷାକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ, ଓଡ଼ିଶା ସରକାର ଗୋପନୀୟ ସୂଚନାର ନିରାପଦ ଆଦାନପ୍ରଦାନ ସୁନିଶ୍ଚିତ କରିବା ଏବଂ ଡାଟା ଉଲ୍ଲଂଘନକୁ ରୋକିବା ପାଇଁ ସମସ୍ତ ସରକାରୀ ଯୋଗାଯୋଗ ପାଇଁ ସରକାରୀ ଇମେଲ୍ ଆଇଡି ବ୍ୟବହାରକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାଇବର ଅପରାଧ ସହିତ ୱେବ୍ସାଇଟ୍ ହ୍ୟାକ୍ ଭଳି ଆହ୍ବାନର ମୁକାବିଲା କାଠିକର ପାଠ ହୋଇଥିବା ବେଳେ ରାଜ୍ୟ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ନିଜସ୍ବ ଇ-ମେଲ୍ ଏବଂ ଗ୍ରୁପୱେର ସଲ୍ୟୁସନ ପ୍ରସ୍ତୁତ କରାଯାଇଛି। ପ୍ରତ୍ୟେକ ବିଭାଗରେ ଏହାର ବ୍ୟବହାରକୁ ସୁନିଶ୍ଚିତ କରିବା ଲାଗି ଆଇଟି ବିଭାଗ ପ୍ରମୁଖ ସଚିବ ବିଶାଲ ଦେବ ସମସ୍ତ ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ଶାସନ ସଚିବ, ଜିଲାପାଳଙ୍କୁ ପତ୍ର ଲେଖିଛନ୍ତି।
ନୂତନ ପଦକ୍ଷେପର ଅଂଶ ସ୍ୱରୂପ, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (OCAC) ଏକ ସ୍ୱଦେଶୀ ଏବଂ ବ୍ୟାପକ ଇମେଲ୍ ଏବଂ ଗ୍ରୁପୱେର୍ ସମାଧାନ ବିକଶିତ କରିଛି ଯାହା ସମ୍ପୂର୍ଣ୍ଣ ଭାବରେ ଓଡ଼ିଶା ରାଜ୍ୟ ଡାଟା ସେଣ୍ଟର ମଧ୍ୟରେ ହୋଷ୍ଟ କରାଯାଇଛି। ସୂତ୍ର ଅନୁଯାୟୀ, ଏହି ପ୍ଲାଟଫର୍ମ @odisha.gov.in ଡୋମେନ୍ ବ୍ୟବହାର କରି ଅଫିସିଆଲ୍ ଇ-ମେଲ୍ ସେବାଗୁଡ଼ିକୁ କ୍ୟାଲେଣ୍ଡର, ଟାସ୍କ, ନୋଟ୍ସ, କଣ୍ଟାକ୍ଟ, ଡ୍ରାଇଭ୍, ଭିଡିଓ କନଫରେନ୍ସିଂ ଏବଂ ଇ-ଡାଏରୀ କାର୍ଯ୍ୟକାରିତା ସମେତ ଅନ୍ୟାନ୍ୟ ସହଯୋଗ ଉପକରଣ ସହିତ ଏକୀକୃତ କରିଥାଏ।
ଆଇଟି ବିଭାଗ ଅଧିକାରୀଙ୍କ ସୂଚନା ଅନୁସାରେ, ସାମ୍ପ୍ରତିକ ସ୍ଥିତିରେ ଡିଜିଟାଲ ପ୍ଲାଟଫର୍ମରେ ସବୁଠାରୁ ବଡ଼ ଆହ୍ବାନ ହେଉଛି ଡାଟା ସୁରକ୍ଷା ଓ କାର୍ଯ୍ୟଦକ୍ଷତା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜସ୍ବ ପ୍ଲାଟଫର୍ମ ପ୍ରସ୍ତୁତ କରିଛନ୍ତି। ଏହାର ବିଶେଷତ୍ବ ହେଉଛି ଡିଜିଟାଲ ସୁରକ୍ଷା। ଏଥିରେ ଗୋପନୀୟତା ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ବ୍ଲକ୍ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରୀୟ ସରକାରୀ କାର୍ଯ୍ୟାଳୟରେ ଏହାର ବ୍ୟବହାର ସୁନିଶ୍ଚିତ କରାଯିବ।
ସରକାରୀ କାର୍ଯ୍ୟ, ସେବା ପ୍ରଦାନ ଭଳି କ୍ଷେତ୍ରରେ ବିଦେଶୀ ଡିଜିଟାଲ ମାଧ୍ୟମର ଉପଯୋଗିତାରେ ସୁରକ୍ଷା ଦୃଷ୍ଟିରୁ ବିପଦ ଓ ବୈଷୟିକ ସମସ୍ୟା ଆଶଙ୍କା ରହୁଛି। ଏପରିସ୍ଥଳେ ଓଡ଼ିଶା ସରକାରଙ୍କ ସମସ୍ତ କାର୍ଯ୍ୟରେ ବ୍ୟବହାର ପାଇଁ ଓକାକ୍ ପକ୍ଷରୁ ଇ-ମେଲ୍ ଏବଂ ଗ୍ରୁପୱେର ସଲ୍ୟୁସନ ପ୍ରସ୍ତୁତ କରାଯାଇଛି। ଏହି ଇ-ମେଲର ନାମ ହେଉଛି @odisha.gov.in। ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ଇ-ମେଲ୍ ଅତ୍ୟନ୍ତ ସୁରକ୍ଷିତ ଏବଂ ଆଧୁନିକ ବୋଲି ଆଇଟି ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ କମ୍ପ୍ୟୁଟର ଏବଂ ମୋବାଇଲ ଫୋନ୍ରେ ବ୍ୟବହାର କରାଯାଇ ପାରିବ।
ସରକାରୀ ବିଭାଗ, ନିର୍ଦେଶାଳୟ, ଅନୁବିଭାଗ, ସରକାରୀ ଉଦ୍ୟୋଗରୁ ଆରମ୍ଭ କରି ପଦବୀ ଆଧାରିତ କିମ୍ବା ବ୍ୟକ୍ତିଗତ ଇ-ମେଲ ଆଇଟି ସୃଷ୍ଟି କରାଯାଇ ପାରିବ। ସେହିପରି ଭିଡିଓ କନଫରେନ୍ସିଂ ଏବଂ ଆନୁଷଙ୍ଗିକ ଡିଜିଟାଲ କାର୍ଯ୍ୟ ପାଇଁ ଏଏଏଲଏପିଏ ନାମରେ ଏକ ସ୍ବତନ୍ତ୍ର ଡୋମେନ୍ ବ୍ୟବହାର କରିବା ପାଇଁ ବିଭାଗଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଏଥିରେ ଡାଟା ସିକ୍ୟୁରିଟି ବ୍ୟବସ୍ଥା ସୁଦୃଢ଼ ହୋଇଥିଲା ବେଳେ କେବଳ ପ୍ରାଧିକୃତ ସରକାରୀ ଅଧିକାରୀ/କର୍ମଚାରୀ ଏହାକୁ ବ୍ୟବହାର କରିପାରିବେ। ଏହାକୁ ହ୍ୟାକିଂ କରିବା କଷ୍ଟକର ବ୍ୟାପାର। ଓକାକ୍ ପକ୍ଷରୁ ପ୍ରସ୍ତୁତ ଇ-ଡାଏରୀ ଆପ୍ଲିକେସନ ସହାୟତାରେ ଡାଏରୀ ଏଣ୍ଟ୍ରି, କାର୍ଯ୍ୟସୂଚୀ ପ୍ରସ୍ତୁତ, ସରକାରୀ ତଥ୍ୟ ସଂଗ୍ରହ ଓ ସଂରକ୍ଷଣ ପୂର୍ବାପେକ୍ଷା ଅଧିକ ଦକ୍ଷ ହେବ। ଏହି ଇମେଲ୍ ସମାଧାନ ମୋବାଇଲ୍ ଡିଭାଇସ୍ ସହିତ ସମ୍ପୂର୍ଣ୍ଣ ସୁସଙ୍ଗତ ଏବଂ ଏହାକୁ ସ୍ମାର୍ଟଫୋନ୍ରେ ମେଲ୍ ଆପ୍ଲିକେସନ୍ ମାଧ୍ୟମରେ ବିନ୍ୟାସ କରାଯାଇପାରିବ, ଯାହା Gmail ଏବଂ Outlook ପରି ବହୁଳ ଭାବରେ ବ୍ୟବହୃତ ଏଣ୍ଟରପ୍ରାଇଜ୍ ପ୍ଲାଟଫର୍ମ ସହିତ ସମାନ କାର୍ଯ୍ୟକ୍ଷମତା ପ୍ରଦାନ କରେ।
ଅଧିକ ପଢନ୍ତୁ: ଅତିଥି ଭବନରେ ଅଗ୍ନିକାଣ୍ଡ: ୧୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ ଦଳ