ଭୁବନେଶ୍ଵର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ମଣ୍ଡି ସମସ୍ୟା। ଏନେଇ ବଡ଼ ବୈଠକ ଡାକିଲେ ସରକାର। ଆସନ୍ତାକାଲି ମଙ୍ଗଳବାର ଅପରାହ୍ନ ୩ଟାରେ ଲୋକସେବା ଭବନରେ ଏକ ବୈଠକ ଅନୁଷ୍ଠିତ ହେବ।
ଏହି ବୈଠକରେ ରାଜ୍ଯ କୃଷି ମନ୍ତ୍ରୀ କେଭି ସିଂଦେଓ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉପସ୍ଥିତ ରହିବେ। ଧାନ ଉଠାଣରେ କେଉଁଠି ଓ କାହିଁକି ସମସ୍ୟା ରହୁଛି ଓ ଏହାର ସମାଧାନ କିପରି ହେବ ସେ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ।
ମଣ୍ଡି ସମସ୍ୟା ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ ୩ ଲକ୍ଷ ୮୫ ହଜାର ୪୦୫ ଟନ୍ ଧାନ ବର୍ତ୍ତମାନ ସୁଦ୍ଧା ଉଠି ସାରିଲାଣି। ୮୫ ହଜାର ୧୮୩ ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହୋଇଛି । ପ୍ରତିଦିନ ଧାନ ଉଠୁଛି। ସରକାରକୁ ବଦନାମ କରିବାକୁ କିଛି ଲୋକ ଓ ବିରୋଧୀ ଦଳ ପ୍ରୟାସ କରୁଛନ୍ତି। ଆନ୍ଦୋଳନ ବିଭିନ୍ନ ସ୍ଥାନରେ ହେଉଛି । ଆମ ପାଖେ ଏନେଇ ଖବର ମଧ୍ଯ ଅଛି। ଚାଷୀ ଚାହୁଁଛନ୍ତି ଧାନ ଆଣିଲେ ସଙ୍ଗେ ସଙ୍ଗେ ଉଠିଯାଉ ବୋଲି କିନ୍ତୁ ତାହା ସମ୍ଭବ ନୁହେଁ। ଯେହେତୁ ଦିନେ ଦୁଇଦିନ ସମୟ ଲାଗୁଛି ତେଣୁ ଚାଷୀଙ୍କୁ କିଛି ଲୋକ ପ୍ରବର୍ତ୍ତାଇ ଆନ୍ଦୋଳନ କରୁଛନ୍ତି।