ଭୁବନେଶ୍ୱର: ଯେବେଠାରୁ ସିବିଆଇ ହାତକୁ ପୋଲିସ ଏସ୍ଆଇ ନିଯୁକ୍ତି ମାମଲା ଯାଇଛି ସେବେଠାରୁ ଆନ୍ତଃରାଜ୍ୟ ଲିଙ୍କର ଚେନ୍ ଲମ୍ବି ଲମ୍ବି ଚାଲିଛି । ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ରାଜ୍ୟ ବାହାରୁ ଗିରଫ କରିଛି ସିବିଆଇ ଟିମ୍ । ସେ ହେଲେ ବିହାରର ଅମିତ ଭାରତୀ । ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କୁ ଜେରା କରିବା ପରେ ସିବିଆଇ ଅମିତକୁ ଧରିଛି ।
ସେପଟେ ବିଭିନ୍ନ ପର୍ଯ୍ୟାୟରେ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେଇ ଘନ ଘନ ଜେରା କରୁଛି ସିବିଆଇ । ୪ ଦିନିଆ ରିମାଣ୍ଡରେ ଆସିଥିବା ତିନି ଅଭିଯୁକ୍ତ ଶଙ୍କର ପୃଷ୍ଟି, ସୁରେଶ ନାୟକ ଓ ସାଗର ଗୌଡ଼ଙ୍କର ଅବଧି ଶେଷ ହୋଇଛି । ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯିବ ।
ଏହା ପୂର୍ବରୁ ସିବିଆଇ ବିହାରରୁ ନୀତିଶ କୁମାରକୁ ଗିରଫ କରିଥିଲା । ନୀତିଶ କୁମାରଙ୍କ ଜେରା ବେଳେ ନୀତୁ ଅରୋରା ନାମକ ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ସମ୍ପୃକ୍ତି ଥିବା ଖବର ଦେଇଥିଲେ । ଏହା ପରେ ନୀତୁକୁ ଗୁଜରାଟର ବଡ଼ୋଦୋରାରୁ ସିବିଆଇ ଗିରଫ କରିଥିବାବେଳେ ସ୍ୱାମୀ ଫେରାର ଅଛି । ଏହି ଦମ୍ପତ୍ତି ଗୁଜରାଟରେ ଏକ କମ୍ପାନୀ ଖୋଲି ଚାକିରୀ କେଳେଙ୍କାରୀ କରୁଥିଲେ । ନୀତୁଙ୍କ ସ୍ୱାମୀଙ୍କ ନାଁରେ ରହିଛି କମ୍ପାନୀ ।