ରାୟଗଡା: ବାପ-ପୁଅକୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି। ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଲିକିଟିପଦର ପଞ୍ଚାୟତ ସାରିଗାଡ଼ାରେ ଡବଲ ମର୍ଡର ହୋଇଛି। ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଲିକିଟିପଦର ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ଅଗାଧୁ ଗମାଙ୍ଗ ଓ ଶ୍ୱଶୁର ସୁମ ଗମାଙ୍ଗଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଗାଁ ଦାଣ୍ଡରେ ପଡି ରହିଛି ଉଭୟଙ୍କ ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ସରପଞ୍ଚଙ୍କ ପରିବାର ଘରେ ଥିବା ବେଳେ କିଛି ଲୋକ ପଶି ଯୁକ୍ତତର୍କ କରିଥିଲେ । ଏପିରିକି ମାରଣାସ୍ତ୍ର ଧରି ମଧ୍ୟ ଆକ୍ରମଣ କରିଥିଲେ । ଯେଉଁଥିରେ ସରପଞ୍ଚ ଜୀବନ ବିକଳରେ ଦୌଡି ପଳାଇଥିଲେ। ହେଲେ ପୁଅ ଓ ସ୍ୱାମୀ ଘରେ ରହିଯାଇଥିଲେ । ଦେଖୁ ଦେଖୁ ବିବାଦ ବଢିବାରେ ଲାଗିଥିଲା। ଯାହାଫଳରେ ଉଭୟଙ୍କର ମୃତ୍ୟୁ ହୋଇଯାଇଛି। ଘର ଦାଣ୍ଡରେ ଉଭୟ ବାପ-ପୁଅଙ୍କ ମୃତଦେହ ପଡିଛି। ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ଏପରିକି ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ବାକି ଯଦି ଆବଶ୍ୟକ ପଡେ, ତେବେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ।
ତେବେ ଜମିଜମା ବିବାଦକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ହେଲେ ଏବେ ଯାଏଁ ହତ୍ୟାର ସଠିକ କାରଣ ଜଣାପପଡିନାହିଁ। ପୋଲିସର ପ୍ରାଥମିକ ତଦନ୍ତ ଏବଂ ସାଇଣ୍ଟିଫିକ୍ ରିପୋର୍ଟ ପରେ ହିଁ ମୃତ୍ୟୁର ସଠିକ କଥା ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି।