ଭୁବନେଶ୍ୱର : ମୃତ୍ୟୁ ପରେ ବି ଅମର ହେଲେ ଯୁବକ । ଅଙ୍ଗଦାନ କରି ଆଉ ଦୁଇ ଜଣକର ଜୀବନ ବଞ୍ଚାଇଲେ ଯୁବକ । ଆଖି ବୁଜିବା ପରେ ମଧ୍ଯ ଅନ୍ୟ କାହା ଘରେ ଫୁଟାଇଲେ ହସ । ମୃତ୍ୟୁ ପରେ ନିଜର କିଡନୀ ଦାନ କରି ଅମର ହେଲେ ଅନୁଗୁଳ ଜିଲ୍ଲାର ବିଶ୍ବଜିତ ଦାସ । ଗତ ୬ ଦିନ ତଳେ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସୋମବାର ଡାକ୍ତର ତାଙ୍କ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ପରେ ତାଙ୍କ ପରିବାର ଲୋକଙ୍କ ସହମତିରେ ଦୁଇଟି ଯାକ କିଡନୀ କଢାଯାଇଥିଲା । ଗୋଟିଏ ସେହି ଘରୋଇ ହସ୍ପିଟାଲରେ ପ୍ରତିରୋପଣ କରାଯାଇଥିବା ବେଳେ ଅନ୍ୟଟି କଟକ ଏସସିବି ମେଡିକାଲକୁ ଅଣାଯାଇଥିଲା । ଏସସିବି ମେଡିକାଲରେ ଜଗତସିଂହପୁର ଅଞ୍ଚଳର ସୁନିଲ୍ ନାୟକ ନାମକ ଜଣେ ଯୁବକଙ୍କ ଶରୀରରେ ଆଉ ଗୋଟିଏ କିଡନୀ ସଫଳ ପ୍ରତ୍ୟାରୋପଣ କରାଯାଇଅଛି । ସୁନିଲଙ୍କ ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଥିବା ବେଳେ ତାଙ୍କୁ ଦୀର୍ଘ ୫ ବର୍ଷ ହେଲା ଡାଏଲେସିସ ଚିକିତ୍ସା କରାଯାଉଥିଲା। ଏସସିବି ମେଡିକାଲର ନେଫ୍ରୋଲୋଜି ଓ ୟୁରୋଲୋଜି ବିଭାଗ ସହ ଆନେସ୍ଥେସିଆ ବିଭାଗର ଡାକ୍ତରଙ୍କ ସହଯୋଗରେ ଏହି ସଫଳ ପ୍ରତ୍ୟାରୋପଣ କରାଯାଇଛି ।
ବିଶ୍ବଜିତ ଆଜି ଏ ଦୁନିଆ ଛାଡ଼ି ଚାଲିଯାଇଛନ୍ତି ସତ କିନ୍ତୁ ଅନ୍ୟମାନଙ୍କୁ ଦେଇ ଯାଇଛନ୍ତି ଅମୂଲ୍ୟ ଉପହାର । ଅଙ୍ଗଦାନ ଭଳି ମହତ କାର୍ଯ୍ୟ କରି ଅମର ହୋଇ ଯାଇଛନ୍ତି ବିଶ୍ବଜିତ ।