ଜଳୁଛି ସାରା ଓଡିଶା । ପ୍ରଚଣ୍ଡ ରୌଦ୍ରତାପ ପ୍ରଭାବରେ ବଢୁଛି ତାତି । ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ପ୍ରଭାବ । ଗତକାଲି ୪୦ ଡିଗ୍ରୀ ଉପରେ ୩୦ ସହରର ତାପମାତ୍ରା ରେକର୍ଡ଼ ହୋଇଥିବା ବେଳେ ୪୩.୨ ଡିଗ୍ରୀ ସହ ତାଳଚେର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୋଲି ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ମିଳିଛି । ତାପମାତ୍ରା ଏଭଳି ବଢ଼ୁଥିବାରୁ ଦିନ ୧୧ ପରେ ଘରୁ ବାହାରିବା କଷ୍ଟକର ହୋଇପଡିଛି। ଏଭଳି ପରିସ୍ଥିତିରେ ଅଂଶୁଘାତର ସମ୍ଭାବନା ରହିଛି।
ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ତାଳଚେର ରହିଥିଲାବେଳେ ଏହା ତଳକୁ ନୂଆପଡା ୪୩,ପାରଳାଖେମୁଣ୍ତି ଓ ବୌଦ୍ଧ ୪୨.୮, ନୟାଗଡ଼ ଓ ଅନୁଗୋଳ ୪୨.୭, ବାରିପଦା ୪୨.୬, ଟିଟିଲାଗଡ଼ ୪୨.୫, ମାଲକାନଗିରି ଓ ଭବାନୀପାଟଣାରେ ପାରଦ ୪୨ ଡିଗ୍ରୀ ରେକର୍ଡ଼ ହୋଇଥିଲାବେଳେ ୨୦ ସହର ପାରଦ ୪୦ରୁ ୪୧ ଡିଗ୍ରୀ ମଧ୍ୟରେ ରେକର୍ଡ ହୋଇଛି।
ଅନ୍ୟପଟେ ଗତ ୨୪ ଘଣ୍ଟାରେ କିଛି ସ୍ଥାନରେ ବର୍ଷା ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୨୦,୨୧ ଓ ୨୨ ତାରିଖରେ ରାଜ୍ୟରେ କାଳବୈଶାଖି ବର୍ଷା ଝଡ଼ ସହ ତୋଫାନ ହେବା ନେଇ ସମ୍ଭାବନା ରହିଛି। ଅତ୍ୟଧିକ ତାତି ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି ।