ସୁନାଖଣ୍ଡି ପଞ୍ଚାୟତରେ ହାତୀ ଆତଙ୍କ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚୟତ ବାରିଆ ପଡ଼ା, ଶିକ ପଦର, ଶରାଟି,ଓ ପାର୍ତ୍ତିବେଡ଼ା ଗ୍ରାମରେ ମାସ ତମାମ କଳାହାଣ୍ଡି ଜିଲ୍ଲାରୁ ଆସି ହାତୀ ପଲ ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ହାତୀପଲଙ୍କ ଉପଦ୍ରବ ପାଇଁ ସେହି ଅଞ୍ଚଳର ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ସେମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ ।
ସୁନାଖଣ୍ଡି ପଞ୍ଚାୟତରେ କମୁନି ହାତୀ ଉପଦ୍ରଵ । ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଛନ୍ତି ହାତୀପଲ । କେତେବେଳେ ଫସଲ ନଷ୍ଟ କରିଦେଉଛନ୍ତି ତ ଆଉ କେତେବେଳେ ଘରଦ୍ୱାରା ଭାଙ୍ଗି ଦେଉଛନ୍ତି । ଏଭଳି ପରିସ୍ଥିତିରେ ଏହି ବନ ଖଣ୍ଡ ଅଧୀନରେ ନା ଅଛନ୍ତି ସ୍କ୍ୱାର୍ଡ ନା କୌଣସି ଅଛି ଗାଡି । ଯାହାଫଳରେ ହାତୀଙ୍କ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଉଛି । ଆମ୍ବ, ପଣସ, କଦଳୀ, ସପୁରୀ ଭଳି ଫସଲ ଥିବାରୁ ହାତୀ ମାନଙ୍କ ପାଇଁ ଖାଦ୍ୟର ଖୋରାକ ସାଜିଛି ଏହି ଅଞ୍ଚଳ ।
କଲ୍ୟାଣସିଂହପୁର ରେଞ୍ଜରେ ହାତୀ ସ୍କ୍ୱାଡ଼ ଭାବେ କେହି ନଥିବା ବେଳେ ଟିକିରି ବନଖଣ୍ଡର ଦୁଇଜଣ କର୍ମଚାରୀଙ୍କୁ ଡେପୁଟେସନ ରେ ନିଯୁକ୍ତି କରିଛି , ସେମାନେ ମଧ୍ୟ ଭୟଭୀତ ହୋଇ ହାତୀପଲକୁ ଘୋଉଡାଇବାକୁ ସାହାସ କରିପାରୁ ନାହାନ୍ତି । ଯାହା ଫଳରେ ଏହି ଅଞ୍ଚଳରେ ଦିନକୁ ଦିନ ହାତୀ ମାନଙ୍କର ଉତ୍ପାତ ବଢ଼ିବାରେ ଲାଗିଛି । ଯାହାର ପରିଣାମ ସ୍ବରୂପ ଗତ ରାତିରେ ଶାରଟି ଓ ପାର୍ତିବେଡ଼ା ଗ୍ରାମର ସବୁ ଗଛ ଭାଙ୍ଗି ନଷ୍ଟ କରିଥିବା ଜଣା ପଡ଼ିଛି। ଏପରିକି ଗ୍ରାମର ପାନୀୟ ଜଳ ପାଇଁ ବ୍ୟବସ୍ଥିତ ପାଇପ୍ ଲାଇନ୍ କୁ ଭାଙ୍ଗିଦେବା ସହ ସୋଲାର ପ୍ଲେଟ ଗୁଡ଼ାକ ମଧ୍ୟ ଭାଙ୍ଗି ଚୁର୍ ମାର କରିଦେଥିବା ଦେଖିବାକୁ ମିଳିଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ ବିଭିନ୍ନ ଫଳନ୍ତି ଗଛ ନଷ୍ଟ କରିବା ସହ ପାନୀୟ ଜଳର ବ୍ୟବସ୍ଥାକୁ ମଧ୍ୟ ସର୍ବସ୍ବାନ୍ତ କରିଦେଇଛନ୍ତି,ଫଳରେ ଉକ୍ତ ଗ୍ରାମରେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମ ବାସି । ଏ ନେଇ ଗ୍ରାମବାସୀ ବନ ବିଭାଗରେ ଅଭିଯୋଗ କରିବା ପରେ ବନବିଭାଗର କର୍ମଚାରୀ ଉକ୍ତ ଗାଁ ଗୁଡ଼ିକୁ ପହଞ୍ଚି ସ୍ଥିତି ପରଖିବା ସହ ରିପୋର୍ଟ୍ ଅନୁଯାୟୀ କ୍ଷତିପୂରଣ ବାବଦକୁ ଅନୁକମ୍ପା ପ୍ରଦାନ କରାଯିବ ବୋଲି କହିଛନ୍ତି ।
ଅଧିକ ପଢନ୍ତୁ :ସକାଳ ଭ୍ରମଣରେ ଯାଇଥିବାବେଳେ ହାତୀ ଆକ୍ରମଣରେ ବୃଦ୍ଧ ମୃତ