ସକାଳ ଭ୍ରମଣରେ ଯାଇଥିବାବେଳେ ହାତୀ ଆକ୍ରମଣରେ ବୃଦ୍ଧ ମୃତ । କ୍ରମାଗତ ଭାବେ ଦନ୍ତା ହାତୀର ଉପଦ୍ରବ ପାଇଁ ଭୟଭୀତ ହୋଇପଡିଛନ୍ତି ଲୋକେ । ଅଧିକାଂଶ ସମୟରେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ହାତୀ ଜନବସତି ମୁହାଁ ହେଉଛନ୍ତି । ଗ୍ରାମ ଭିତରକୁ ପଶି ଫସଲ ମଧ୍ୟ ନଷ୍ଟ କରିଦେଉଛନ୍ତି । ସକାଳ ଭ୍ରମଣରେ ଯାଇଥିବା ଜଣେ ବୃଦ୍ଧଙ୍କୁ ହାତୀ ଘାଇଲା କରିବା ପରେ ତାଙ୍କୁ କଚାଡ଼ି ମାରି ଦେଇଛି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ।
ସୂଚନା ଅନୁଯାୟୀ,ମୃତ ବୃଦ୍ଧ ଜଣକ କୁଲଡିହା ଅଭୟାରଣ୍ୟର ପାଦଦେଶ ତଥା ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତ ଅଧୀନ ଢ଼ୋଲପୁର ଗାଁର ବାସିନ୍ଦା । ବୃଦ୍ଧ ଜଣକ ଶୁକ୍ରବାର ସକାଳୁ ଗାଁ ପଡ଼ିଆକୁ ପ୍ରାତଃଭ୍ରମଣ ପାଇଁ ଯାଇଥିଲେ। ସେଠାରେ ଥିବା ହାତୀଟି ଅଚାନକ ବାହାରି ଆସି ବୃଦ୍ଧଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା । ଏହାପରେ ଦାନ୍ତରେ ଭୁସିବା ପରେ ଦଳି ଦେଇଥିଲା। ହାତୀ ଆକ୍ରମଣରେ ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ତାଙ୍କୁ ମୃତ ଅବସ୍ଥାରେ ଦେଖି ଗ୍ରାମବାସୀ ବନବିଭାଗକୁ ଖବର ଜଣାଇଥିଲେ । ଖବର ପାଇ ବନ ବିଭାଗ ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ । ଏଭଳି ଘଟଣାରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଏହାର କିଛି ପଦକ୍ଷେପ ନିଆଯାଉ ବୋଲି ଦାବି କରିଛନ୍ତି ।