ସମ୍ବଲପୁର: ମହଙ୍ଗା ପଡ଼ିଲା ଅନଲାଇନ୍ ସପିଂ। ଅର୍ଡର କରିଥିଲେ ଲାପଟପ୍। ହେଲେ ଆସିଲା ମାର୍ବଲ ଖଣ୍ଡ। ସମ୍ବଲପୁରରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଟାଉନ ଥାନା ଅନ୍ତର୍ଗତ ହସ୍ପିଟାଲ ରୋଡରେ ରହୁଥିବା ଜଣେ ଡାକ୍ତର ଏମିତି ଠକେଇର ଶିକାର ହୋଇଛନ୍ତି। ପାର୍ସଲ ଖୋଲିବା ପରେ ଲାପଟପ୍ ବଦଳରେ ମାର୍ବଲ ଖଣ୍ଡ ଦେଖି ସେ ତାଜୁବ ହୋଇଯାଇଥିଲେ ।
ସୁଚନା ଅନୁସାରେ ଟାଉନଥାନା ଅନ୍ତର୍ଗତ ମୁଦିପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି ଗତ ୪ ତାରିଖରେ ଅନ୍ଲାଇନରେ ଏକ ଲାପଟପ୍ ମଗାଇଥିଲେ।ଏଥିପାଇଁ ସେ ୬୧ ହଜାର ଟଙ୍କା ପଇଠ କରିଥିଲେ। ତେବେ ଗତ ୧୧ ତାରିଖରେ ତାଙ୍କ ନିକଟକୁ ଡେଲିଭରି ବୟ ଆଣି ପାର୍ସଲ ଦେଇଥିଲେ । ଏହି ପାର୍ସଲକୁ ସେଦିନ ଗ୍ରାହକ ଜଣକ ଅନବକ୍ସ ନ କରି ପରଦିନ କରିବେ ବୋଲି ଘରେ ରଖିଥିଲେ ।
ଅଧିକ ପଢନ୍ତୁ: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ଆରମ୍ଭରୁ ହଟ୍ଟଗୋଳ; ବିରୋଧୀଙ୍କ ହୋହାଲ୍ଲା ଭିତରେ ଚାଲିପାରୁନି ଗୃହ; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି
ପରଦିନ ସେ ଜଣେ କମ୍ପ୍ୟୁଟର ପ୍ରଫେସନାଲକୁ ଡକାଇ ଲାପଟପ୍କୁ ଇନ୍ଷ୍ଟଲ କରିବା ପାଇଁ ପାର୍ସଲ ପ୍ୟାକିଂ ଖୋଲିଥିଲେ। ପାର୍ସଲ ଖୋଲି ଦେଖିଲା ବେଳକୁ ସେଥିରେ ଲାପଟପ ବଦଳରେ ବାହାରିଥିଲା ଏକ ମାର୍ବଲ ପ୍ଲେଟ । ଏନେଇ ସଂପୃକ୍ତ ଇ-ମାର୍କେଟିଂ ସଂସ୍ଥା ସହ ଯୋଗାଯୋଗ କରିଥିଲେ ଗ୍ରାହକ । କୌଣସି ସୁଫଳ ନମିଳିବାରୁ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।