ପୁରୀ : ଅପରାହ୍ଣ ୫ଟାରେ ବସିବ ଶ୍ରୀମନ୍ଦିର ପ୍ରଶାସନର ବୈଠକ। ଦୀଘା ଜଗନ୍ନାଥ ମନ୍ଦିର ବିବାଦ ମାମଲାକୁ ନେଇ ବୈଠକ ବସାଇବ ଶ୍ରୀମନ୍ଦିର ପ୍ରଶାସନ। ତେବେ ଏହି ବୈଠକରେ ମହାରଣା,ଦେଉଳକରଣ, ପାଟଯୋଶୀ ମହାପାତ୍ର, ତଢଉକରଣ ଓ ତିନି ବାଡର ବାଡଗ୍ରାହୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ଏପରିକି ନବକଳେବର ସମୟରେ ବଳକା ଥିବା ଦାରୁ ସମ୍ପର୍କରେ ମଧ୍ୟ ଆଲୋଚନା ହେବ। କାରଣ ବଳକା ଦାରୁ ଦୀଘା ମନ୍ଦିରକୁ ଦିଆଯାଇଥିବା ଅଭିଯୋଗ ରହିଛି। ସେହିପରି ଆସନ୍ତାକାଲି ବିଭିନ୍ନ ନିଯୋଗ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବ ଶ୍ରୀମନ୍ଦିର ପ୍ରଶାସନ।
ସୂଚନା ଅନୁସାରେ, ପଶ୍ଚିମବଙ୍ଗ ଦୀଘାରେ କିଛି ଦିନ ତଳେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମିତ ହୋଇଛି। ଯାହାକୁ ଜଗନ୍ନାଥ ଧାମ କୁହାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଏପରିକି ଶୁକ୍ରବାର ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ନାମକରଣ ବିବାଦରେ ମୁହଁ ଖୋଲିଥିଲେ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର। ପୁରୀ ହିଁ ଏକମାତ୍ର ଜଗନ୍ନାଥ ଧାମ ଅନ୍ୟ ସ୍ଥାନରେ ଜଗନ୍ନାଥ ମନ୍ଦିର ହୋଇପାରିବ କିନ୍ତୁ ଜଗନ୍ନାଥ ଧାମ କୁହାଯାଇପାରିବ ନାହିଁ ବୋଲି କହିଥିଲେ। ଏପରିକି ଦିଘା ଜଗନ୍ନାଥ ମନ୍ଦିରକୁ କାହିଁକି ଜଗନ୍ନାଥ ଧାମ ଦିଆଯାଇଛି ବୋଲି ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଥିଲେ। ମହାପ୍ରଭୁଙ୍କ ରୀତି ନୀତିରେ କୌଣସି ତ୍ରୁଟି ବିଚ୍ୟୁତି ହେବାକୁ ଦିଆଯିବ ନାହିଁ। ତେଣୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅପରାହ୍ଣ ୫ଟାରେ ବୈଠକ ବସିବାକୁ ଯାଉଛି।