ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡୁଙ୍ଗୁରିପାଲି ପଞ୍ଚାୟତର ତେଣ୍ଡିପାଲି ଗାଁରେ ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ସେହିପରି ତାଙ୍କ ସହଯୋଗୀ ଡୋଳାମଣି ବସ୍ତିଆ ଓ ଲବେନ୍ଦ୍ରଙ୍କୁ ଆକ୍ରମଣ କରି ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରେ ନବୀନ ଜୈନଙ୍କ ସମର୍ଥକମାନେ ଟିଟିଲାଗଡ଼ ଥାନା ଘେରାଉ କରିବା ସହିତ ଜାତୀୟ ରାଜପଥ ଅବରୋଧ କରିଥିଲେ ।
ଅଭିଯୋଗ ଅନୁଯାୟୀ, ଶ୍ରୀ ଜୈନ ନିର୍ବାଚନ ପ୍ରଚାରରେ ଡୁଙ୍ଗୁରିପାଲି ଯାଇଥିବା ବେଳେ ତେଣ୍ଡିପାଲିଠାରେ ଆୟୋଜିତ ଚନ୍ଦନଯାତ୍ରାରେ ଯୋଗଦେଇ ନିଜ ସମର୍ଥକଙ୍କ ସହ ଫେରୁଥିଲେ । ତେବେ ଗ୍ରାମ ନିକଟ ସୋଲାର ପ୍ଲାଣ୍ଟ୍ ଠାରେ ପାଞ୍ଚ ଛଅଟି ଗାଡ଼ିରେ କିଛି ଯୁବକ ଆସି ତାଙ୍କ ଗାଡ଼ିକୁ ଅଟକାଇ ଡୋଳାମଣି ଓ ଲବେନ୍ଦ୍ରଙ୍କୁ ମାଡ଼ ମାରିବା ସହ ସେମାନଙ୍କ ଗାଡ଼ିରେ ନେଇଯାଇଥିଲେ । ଉପସ୍ଥିତ ବୁଦ୍ଧି ଖଟାଇ ନବୀନଙ୍କ ଡ୍ରାଇଭର ତାଙ୍କୁ ଗାଁ ଭିତରକୁ ନେଇ ଜଣେ ବ୍ୟକ୍ତିଙ୍କ ଘରେ ସୁରକ୍ଷିତ ଅବସ୍ଥାରେ ରଖି ଗାଁ ଲୋକଙ୍କୁ ଜଣାଇଥିଲେ । ନବୀନଙ୍କ ଠାରୁ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ଘଟଣାସ୍ଥଳଠାରୁ କିଛି ଦୂରରେ ରାସ୍ତା କଡ଼ରୁ ପୋଲିସ ଗୁରୁତର ଅବସ୍ଥାରେ ଶ୍ରୀ ବସ୍ତିଆଙ୍କୁ ଉଦ୍ଧାର କରି ପ୍ରଥମେ ସଇନ୍ତଳା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିଥିବା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ସୂଚନା ଦେଇଛନ୍ତି । ଅପରପକ୍ଷରେ ନବୀନଙ୍କୁ ସୁରକ୍ଷିତ ଭାବରେ ଆଣିବା ପାଇଁ ଟିଟିଲାଗଡ଼ ଏସ୍ଡିପିଓ ଅଙ୍କିତା କୁମ୍ଭାର ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିବା ସୂଚନା ରହିଛି । ତେବେ ଏହି ଭଳି ହୀନ କାମ ବିଜେଡି କରିଛି ବୋଲି ଅଭିଯୋଗ କରିଛନ୍ତି ନବୀନ ଜୈନ ।
ଅଧିକ ପଢନ୍ତୁ : ସୁନାଖଣ୍ଡି ପଞ୍ଚାୟତରେ ହାତୀ ଆତଙ୍କ