ଶିଶୁ ମାନେ ହେଉଛନ୍ତି ଉଜ୍ଜ୍ୱଳ ଭବିଷ୍ୟତ କିନ୍ତୁ ଦେଢ଼ବର୍ଷ ଭିତରେ ଅର୍ଥାତ ୨୦୨୨ ଜାନୁଆରିରୁ ୨୦୨୩ ଅଗଷ୍ଟ ମଧ୍ୟରେ ଶିଶୁଭବନରେ ଚିକିତ୍ସିତ ହେଉଥିବା ପ୍ରାୟ ୩୪୮୭ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ଏହି ହିସାବରେ ଦିନକୁ ହାରାହାରି ଭାବେ ଶିଶୁ ଭବନରେ ୬ରୁ ଅଧିକ ଶିଶୁ ପ୍ରାଣ ହରାଉଛନ୍ତି। କେବଳ ଏହି ଗୋଟିଏ ବର୍ଷ ନୁହେଁ ଶିଶୁଭବନରେ ୨୦୨୨ ଜାନୁଆରିରୁ ଡିସେମ୍ବର ମଧ୍ୟରେ ୨୩୬୯ ଶିଶୁଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ୨୦୨୩ ଜାନୁଆରିରୁ ଅଗଷ୍ଟ ସୁଦ୍ଧା ୧୧୧୮ଜଣ ଶିଶୁଙ୍କର ମୃତ୍ୟୁ ହେଲାଣି। ୨୦୨୩ ଜାନୁଆରିରେ ୧୫୬, ଫେବ୍ରୁଆରିରେ ୧୪୭, ମାର୍ଚ୍ଚରେ ୧୯୪, ଏପ୍ରିଲରେ ୧୬୭, ମେରେ ୧୫୫, ଜୁନ୍ରେ ୧୩୯, ଜୁଲାଇରେ ୧୫୪, ଅଗଷ୍ଟରେ ୧୬୨ ଜଣ ହାରାହାରି ଭାବେ ଶିଶୁଙ୍କର ମୃତ୍ୟୁ ଘଟିଛି ।
ଅଧିକ ପଢନ୍ତୁ: କୂଅରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
ଏ ଚିତ୍ର ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳର ନୁହେଁ। ବରଂ କଟକ ସହର ଛାତି ଉପରେ ଛି଼ଡ଼ା ହୋଇଥିବା ରାଜ୍ୟର ଏକମାତ୍ର ସରକାରୀ ସ୍ବତନ୍ତ୍ର ଶିଶୁ ଚିକିତ୍ସାଳୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ନାତକୋତ୍ତର ଶିଶୁ ଚିକିତ୍ସା ପ୍ରତିଷ୍ଠାନ(ଶିଶୁଭବନ ନାମରେ ପରିଚିତ)ର ପରିସଂଖ୍ୟାନକୁ ନିରେଖି ଦେଖିଲେ ଏମିତି ଉଦ୍ବେଗଜନକ ଚିତ୍ର ସାମ୍ନାକୁ ଆସୁଛି । ଜାତୀୟସ୍ତରର ଖ୍ୟାତନାମା ଚିକିତ୍ସାଳୟର ଏହି ତଥ୍ୟକୁ ବିଶେଷଜ୍ଞମାନେ ମଧ୍ୟ ଗୁରୁତ୍ବର ସହିତ ଗ୍ରହଣ କରୁଛନ୍ତି। ସେମାନଙ୍କ ମତ ହେଉଛି ଯେ ଏଭଳି ଅଭାବନୀୟ ଚିତ୍ର ପାଇଁ ଦୁର୍ବଳ ଭିତ୍ତିଭୂମିକୁ ଦାୟୀ କରାଯାଇପାରେ। ପ୍ରଥମତଃ ଗୁରୁତର ଶିଶୁ ଏଠାକୁ ଆସୁଛନ୍ତି, ଦ୍ବିତୀୟତଃ ଯେତିକି ଗୁରୁତର ରୋଗୀ ଶିଶୁ ଭବନକୁ ଆସୁଛନ୍ତି, ସେମାନଙ୍କ ଆବଶ୍ୟକତା ପୂରଣ ପାଇଁ ଭିତ୍ତିଭୂମି ନାହିଁ । ତେଣୁ ଶିଶୁ ମୃତ୍ୟୁ ହାର ଉଦବେଗଜନକ ରହୁଛି। ଏପଟେ ଦେଢମାସରୁ ଅଧିକ ହେଲାଣି ଶିଶୁଭବନର ଜି-୭ କୋଠା ତିଆରି ହୋଇ ଲୋକାର୍ପଣ ଅପେକ୍ଷାରେ ରହିଛି। ସରକାର ଆବଶ୍ୟକ ବିଶେଷଜ୍ଞ, ପାରାମେଡିକାଲ କର୍ମଚାରୀ, ଭିତ୍ତିଭୂମି ସରକାର ଯୋଗାଇ ଦେଇନଥିବାରୁ ଏହାର ଲୋକାର୍ପଣ ହୋଇପାରୁନି। ଏହା ସହ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଏହି ପ୍ରତିଷ୍ଠାନକୁ ଆସି ସେଠାରେ ସରଜମିନ୍ ସ୍ଥିତି ଯାଞ୍ଚ କରୁନାହାନ୍ତି।