ଭୁବନେଶ୍ୱର: ୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନେକ ବଡ ଘୋଷଣା କରିଛନ୍ତି । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅଧିକ ଚାଉଳ ଯୋଗାଇ ଦିଆଯିବ । ୧୧ ଜିଲ୍ଲାକୁ ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଉ ଏକ ନିଷ୍ପତ୍ତି କ୍ରମେ ରାଜ୍ୟରେ ନିର୍ମାଣ ହେବ ୭୫ ହଜାର କିମି ସଡକ । ଏହା ସହ ୪ଟି ନୂଆ ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।
୧୧ ଜିଲ୍ଲା ମଧ୍ୟରୁ ୮ କେବିକେ ଜିଲ୍ଲା ସହ ବୌଦ୍ଧ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ଏହି ସୁବିଧା ମିଳିବ । ୩ ମାସ ପାଇଁ ୨୭ ଲକ୍ଷରୁ ଉର୍ଦ୍ଧ୍ୱ ପରିବାକୁ ଏହି ସୁବିଧା ମିଳିବ । ମୋଟ୍ ୪୧ ହଜାର ୮୨ ମେଟ୍ରିକ ଟନ୍ ଅତିରିକ୍ତ ଚାଉଳ ବଣ୍ଟନ କରାଯିବ । ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ପ୍ରାୟ ୧୮୦ କୋଟି ଟଙ୍କା ଖର୍ଚ୍ଚ କରିବେ ।
ସେହିପରି ରାଜ୍ୟ ସରକାର ସଡକ ଏବଂ ଗମନାଗମନ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଆଗାମୀ ୫ ବର୍ଷରେ ୭୫ ହଜାର କିମି ଉଚ୍ଚମାନର ସଡକ ନିର୍ମାଣ ହେବ । ଆଉ ୪ଟି ନୂଆ ବନ୍ଦର ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଏହି ୪ଟି ବନ୍ଦର ଇଞ୍ଚୁଡି, ବାହୁଡା, ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗରେ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି ।
ଏହା ପୂର୍ବରୁ ରାଜ୍ୟରେ ଆଉ ୨୧ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଗଠନ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ । ରାଜ୍ୟରେ ମାତ୍ର ୧୭ ପ୍ରତିଶତ ଜନସଂଖ୍ୟା ସହରାଞ୍ଚଳରେ ରହୁଛନ୍ତି । ବାକି ଗ୍ରାମାଞ୍ଚଳରେ ରହୁଛନ୍ତି । ଦ୍ରୁତ ବିକାଶ ଓ ଅଭିବୃଦ୍ଧି ପାଇଁ ୨୧ଟି ନୂଆ ଏନଏସି ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।