ଭିକେ ପାଣ୍ଡିଆନ୍ଙ୍କ ନାଁରେ ଏତଲା । ଆଇନଜୀବୀ ସୁଧିର ଚରଣ ମହାନ୍ତିଙ୍କ ପକ୍ଷରୁ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ଅର୍ଥ ତୋଷରପାତ, ବିପୁଳ ପରିମାଣର କଳା ଟଙ୍କାକୁ ଧଳା କରିବା ଅଭିଯୋଗରେ ପାଣ୍ଡିଆନଙ୍କ ନାଁରେ ଏତଲା ଦିଆଯାଇଛି । ସେହିପରି ଖଣି ମାଫିଆଙ୍କଠାରୁ କୋଟି କୋଟି ଟଙ୍କା ବଟି ନେବା ଓ ଏକାଧିକ କମ୍ପାନୀକୁ ଅନୁକମ୍ପା ଦେଖାଇବା ଭଳି ଗୁରୁତର ଅଭିଯୋଗ ପାଣ୍ଡିଆନଙ୍କ ନାଁରେ ହୋଇଛି।
ସେହିପରି ଭିକେ ପାଣ୍ଡିଆନଙ୍କୁ ନେଇ କିଛିଦିନ ପୂର୍ବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବଡ଼ ବୟାନ ଦେଇ କହିଥିଲେ, ପାଣ୍ଡିଆନ୍ଙ୍କ ଗସ୍ତ ପାଇଁ ହେଲିପ୍ୟାଡ୍ ନିର୍ମାଣ ହେଉଥିଲା, ଏହାକୁ ନିର୍ମାଣ କରିବାକୁ କିଏ କିଏ ଅନୁମତି ଦେଇଥିଲା। କାହା ଅନୁମତିରେ ସେ ହେଲିକପ୍ଟରରେ ଉଡ଼ୁଥିଲେ। ଜଣେ ସଚିବଙ୍କ ଗସ୍ତ ପାଇଁ କିଏ ଅନୁମତି ଦେଇଥିଲା ସବୁ କିଛିର ତଦନ୍ତ ହୋଇ ଖୁବ୍ଶୀଘ୍ର ଦଣ୍ଡ ବିଧାନର ବ୍ୟବସ୍ଥା ହେବ। ତେବେ ଏହାପୂର୍ବରୁ ବି ପରିବହନ ମନ୍ତ୍ରୀ ବିଭୂତି ଜେନା ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତଦନ୍ତ ହେବା ନେଇ କହିଥିଲେ ।
ସେପଟେ ପାଣ୍ଡିଆନ୍ଙ୍କ ହେଲିପ୍ୟାଡ୍ ପାଇଁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା । ବାଉଁଶ ବ୍ୟାରିକେଡ୍ ଓ ସଭାସ୍ଥଳ ଖର୍ଚ୍ଚର ତ ହିସାବ ନାହିଁ । ବାରମ୍ବାର ବିଲ୍ ହୋଇଛି, ଏକାଧିକ ଠିକାଦାର କାମ କରିଛନ୍ତି । ଚକିତ କଲାଭଳି ଏହ ତଥ୍ୟ ଆରଟିଆଇରୁ ମିଳିଛି । ଏମିତି କି ବ୍ୟାରିକେଡ୍ ପାଇଁ ଖର୍ଚ୍ଚ ଯେତିକି ଟଙ୍କା ଖର୍ଚ୍ଚ ହୋଇଛି ସେହି ସମାନ ଖର୍ଚ୍ଚ ସେହି ସ୍ଥାନକୁ ସଫା କରିବାକୁ ହୋଇଛି। ସୂଚନା ଅଧିକାର କର୍ମୀଙ୍କୁ କେବଳ ହାତ ଗଣତି କିଛି ଜିଲ୍ଲାରୁ ପ୍ରମାଣ ମିଳିଥିବା ବେଳେ ରାଜ୍ୟର ଅନେକ ଜିଲ୍ଲାରେ ବି ଏମିତି ଖର୍ଚ୍ଚ ରହିଛି।