ମନମୁଣ୍ଡା: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗୁଦୁଗୁଦା ସାନ ନାଳିଆ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ସମ୍ବଲପୁର ଅଞ୍ଚଳର ବୋଲି ପରିଚୟ ମିଳିଛି । ମନମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ଆଜି ସକାଳେ ଗୁଦୁଗୁଦା ସାନ ନାଳିଆ ପାଖକୁ ସ୍ଥାନୀୟ ଲୋକେ ଶୌଚ ହେବା ପାଇଁ ଯାଇଥିଲେ । ଏହି ସମୟରେ ନାଳ ଭିତରେ ଏକ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ମନମୁଣ୍ଡା ଥାନାକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରେ ଏକ ବାଇକ ମଧ୍ୟ ପୋଲିସ ଜବତ କରିଛି । ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ସନ୍ଦେହ କରାଯାଉଛି । ପୋଲିସର ତଦନ୍ତ ପରେ ଘଟଣାର ସମସ୍ତ ସତ୍ୟାସତ୍ୟ ଜଣାପଡିବ ।