ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ସହ ଅନେକ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବା ଏବଂ ଯାତାୟାତ ବାଧାପ୍ରାପ୍ତ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆଜି ପାଇଁ ସମସ୍ତ ସ୍କୁଲରେ ଛୁଟି ଘୋଷଣା କରିଛି।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଆଜି ଗୋଟିଏ ଦିନ ପାଇଁ ବନ୍ଦ ରହିବ। ଲଗାତାର ବର୍ଷା ଫଳରେ ବିଭିନ୍ନ ରାସ୍ତାରେ ପାଣି ଜମିଥିବା ବେଳେ କିଛି ଅଞ୍ଚଳରେ ଯାତାୟାତ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ଏପରି ପରିସ୍ଥିତିରେ ସ୍କୁଲକୁ ଯିବା ସମୟରେ ପିଲାମାନଙ୍କ ସୁରକ୍ଷାକୁ ନେଇ କୌଣସି ବିପଦ ନ ଘଟୁ, ସେଥିପାଇଁ ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।
ପ୍ରଶାସନ ପକ୍ଷରୁ ପାଣିପାଗ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି। ଯଦି ବର୍ଷାର ପ୍ରକୋପ ଜାରି ରହେ କିମ୍ବା ପରିସ୍ଥିତି ଅଧିକ ଗୁରୁତର ହୁଏ, ତେବେ ଆଗାମୀ ଦିନ ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ଅଭିଭାବକମାନଙ୍କୁ ମଧ୍ୟ ପିଲାମାନଙ୍କୁ ଅନାବଶ୍ୟକ ଘରୁ ବାହାରକୁ ନ ପଠାଇବାକୁ ପରାମର୍ଶ ଦିଆଯାଇଛି।