ଭୁବନେଶ୍ୱର: ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ । ଆଜି (ଶୁକ୍ରବାର) ଉତ୍ତର- ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ବିଶେଷ ଘନୀଭୂତ ହେବାର ସମ୍ଭାବନା ନାହିଁ । ତଥାପି ଘୂର୍ଣ୍ଣିବଳୟ ପ୍ରଭାବରେ ୧୨ ତାରିଖ ଯାଏଁ ବର୍ଷା ଲାଗି ରହିବ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଦୁଇ ଦିନ ବିଭିନ୍ନ ଜିଲ୍ଲାକୁ ବର୍ଷା ଆଲର୍ଟ କରାଯାଇଛି।
ଆଜି ସାରା ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ହେବାକୁ ଥିବା ବେଳେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିଭଳି ମାଲକାନଗିରି, ଗଞ୍ଜାମ, ଗଜପତି, କଳାହାଣ୍ଡି, ଜଗତସିଂହପୁର , କେନ୍ଦ୍ରାପଡା, ଭଦ୍ରକ ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହିତ ଗଞ୍ଜାମ , ଗଜପତି, କନ୍ଧମାଳ, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର ଓ ମୟୂରଭଞ୍ଜରେ ଅଧିକ ବର୍ଷା ସମ୍ଭାବନା ରହିଛି।
ଅନ୍ୟପଟେ ଆସନ୍ତା ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ଆଶଙ୍କା କରାଯାଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସଂପୂର୍ଣ୍ଣ ଅପସାରଣ ନେଇ ପାଗ ଅନୁକୂଳ ହେବାରେ ଲାଗିଛି । ୧୬ ସୁଦ୍ଧା ମୌସୁମୀ ବିଦୟ ନେଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।