ଭୁବନେଶ୍ୱର: ପୁଣି ବିପଦ ସଙ୍କେତ ଉପରେ ବୈତରଣୀ । ପ୍ରବଳ ବର୍ଷା ପାଇଁ ବୈତରଣୀରେ ଜଳସ୍ତର ବଢିଛି । ଆଖୁଆପଦାଠାରେ ୧୮.୧୨ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି । ଏଠାରେ ୧୮.୩୩ ମିଟର ବିପଦ ସଙ୍କେତ ରହିଛି । ଗତକାଲିଠୁ ଭଦ୍ରକରେ ଲଗାଣ ବର୍ଷା ଲାଗି ରହିଛି । ରାସ୍ତାରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି । ନଦୀ ବଢୁଥିବାରୁ ଲୋକେ ଭୟଭୀତ ହୋଇ ରହିଛନ୍ତି । ଜଳମଗ୍ନ ଅବସ୍ଥାରେ ରହିଛି ହେକ୍ଟର ହେକ୍ଟର ଜମି । ଚାଷୀଙ୍କ ଫସଲ ମଧ୍ୟ ନଷ୍ଟ ହୋଇଛି । ମୁଖ୍ୟମନ୍ତ୍ରୀ ଗତକାଲି ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ ।
ଅନ୍ୟପଟେ ଆଗାମୀ ୨୪ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତିନି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟ୍କା ପବନ ବହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।