ବାଲେଶ୍ୱର : ବିଜେଡି ନେତା ରାଜା ଚକ୍ରଙ୍କ ଓକିଲଙ୍କ ନାଁରେ ମାନହାନି ମୋକଦ୍ଦମା ଦାୟର କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ରାଜା ଚକ୍ରଙ୍କ ଓକିଲ ସୀତାଂଶୁ ଦ୍ୱିବେଦୀଙ୍କ ନାଁରେ ସେ ଆଜି ଥାନାରେ ମୋକଦ୍ଦମା ଦାୟର କରିଛନ୍ତି। ବାଲେଶ୍ୱର ଏସ୍ଡିଜିଏମ୍ କୋର୍ଟରେ ସୀତାଂଶୁ ଙ୍କ ନାମରେ ମୋକଦ୍ଦମା ଦାୟର ହୋଇଛି। ସୀତାଂଶୁଙ୍କ ବିବାଦୀୟ ବୟାନ ଉପରେ ମନମୋହନ ସାମଲ ମାନହାନି ମୋକଦ୍ଦମା ଦାୟର କରିଛନ୍ତି।
ସୂଚନାଯୋଗ୍ୟ ରାଜାଙ୍କ ଓକିଲ ସୀତାଂଶୁ ରାଜା ଚକ୍ରଙ୍କ ଅଧୀନରେ ଥିବା ଗନ୍ଧମାର୍ଦ୍ଦନ ଲୋଡିଂ ସୋସାଇଟି ଠାରୁ ବିଜେପି ମୁଖ୍ୟ ଏବଂ ଅଞ୍ଜନ ବେଜ୍ ନାମକ ବିଜେପି ନେତାଙ୍କ ଆକାଉଣ୍ଟକୁ କୋଟିଏ ୩ ଲକ୍ଷ ଟଙ୍କା ଦିଆଯାଇଛି ବୋଲି ଅଭିଯୋଗ ଆଣିଥିଲେ । ନୂଆ ସରକାର ଶପଥ ଗ୍ରହଣ ପୂର୍ବରୁ ଏବଂ ପରେ ଏହି କାରବାର ହୋଇଥିବା ନେଇ ସେ ଅଭିଯୋଗ କରିଥିଲେ । ଏହି ଆଧାରରେ ଓକିଲଙ୍କ ବିରୁଦ୍ଧରେ ମାନହାନି ମୋକଦ୍ଦମା ରୁଜୁ ହୋଇଛି । ଏହାପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନମୋହନ ସାମଲ କହିଛନ୍ତି ଯେ ଏଭଳି ଅଭିଯୋଗ ଭିତ୍ତିହୀନ ଅଟେ । କେବଳ ରାଜ୍ୟରେ ବିଜେପିକୁ ନିନ୍ଦିତ କରିବା ଲାଗି ଉଦ୍ଦେଶ୍ୟମୂଳକ ଭାବେ ସୌମ୍ୟଶଙ୍କର ଚକ୍ର ଓରଫ ରାଜାଙ୍କ ଓକିଲ ସୀତାଂଶୁ ଦ୍ୱିବେଦୀ ବୟାନବାଜି କରିଛନ୍ତି।
ତେବେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ କୋ-ଅପରେଟିଭ ସୋସାଇଟିରେ ଦୁର୍ନୀତି ଘଟଣାର ତଦନ୍ତ କ୍ରାଇମ ବ୍ରାଞ୍ଚ (ଅର୍ଥନୈତିକ ଶାଖା) ପକ୍ଷରୁ ଚାଲିଛି। ଏହି ଘଟଣାରେ କ୍ରାଇମ ବ୍ରାଞ୍ଚ ବିଜେଡି ନେତା ରାଜା ଚକ୍ର ସମେତ ୪ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି । ଶୁକ୍ରବାର ତଦନ୍ତକାରୀ ସଂସ୍ଥା ରାଜା ଚକ୍ରଙ୍କୁ ଅଧିକ ପଚରାଉଚରା କରିବାକୁ ସ୍ଥାନୀୟ ଏସଡିଜେଏମ କୋର୍ଟରେ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ସୂଚନା ମିଳିଛି।