ଭୁବନେଶ୍ୱର: ତିନି ଦିନ ଭିତରେ ରାଜ୍ୟ ସରକାର ପୁଣି ଥରେ ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି। ନୂଆ ନିଯୁକ୍ତି ଦେବା ସହ ୪ ଆଇଏଏସଙ୍କ ବଦଳି କରାଯାଇଥିବା ବେଳେ ୨୦୨୩ ବ୍ୟାଚର ୯ ଆଇଏଏସ ଅଧିକାରୀଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ଗୁରୁବାର ସନ୍ଧ୍ୟାରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁଯାୟୀ, ୨୦୦୫ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଧିକାରୀ ରାଜେଶ ପ୍ରଭାକର ପାଟିଲଙ୍କୁ ସମବାୟ ବିଭାଗର କମିଶନର ଏବଂ ସଚିବ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି । ଏହା ପୂର୍ବରୁ ସେ ଭୁବନେଶ୍ଵର ମହାନଗର ନିଗମ(ବିଏମସି)ର କମିଶନର ଥିଲେ। ସେହିପରି ଆଇଏଏସ୍ କେତନ ଉପାଧ୍ୟାୟଙ୍କୁ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ନିଯୁକ୍ତ କରାଯାଇଛି । ପୂର୍ବରୁ ସେ ଏହି ବିଭାଗର ନିର୍ଦ୍ଦେଶକ ଥିଲେ । ଆଇଏଏସ୍ ସମର୍ଥ ବର୍ମାଙ୍କୁ ଲଘୁ ଖଣିଜ ଦ୍ରବ୍ୟ ବିଭାଗର ନିର୍ଦ୍ଦେଶକ, ଆଇଏଏସ୍ ଦୀପଙ୍କର ମହାପାତ୍ରଙ୍କୁ ହକି ପ୍ରୋମସନ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି।
ଅନ୍ୟପଟେ ୨୦୨୩ ବ୍ୟାଚ୍ର ଆଇଏଏସ୍ ଅଫିସରମାନଙ୍କୁ ବିଭିନ୍ନ ଜିଲ୍ଲାରେ ଉପଜିଲ୍ଲାପାଳ ନିଯୁକ୍ତ ଦେଇଛନ୍ତି ସରକାର । ପ୍ରେକ୍ଷ୍ୟା ଅଗ୍ରୱାଲଙ୍କୁ ଧର୍ମଗଡ଼ ଉପଜିଲ୍ଲାପାଳ, ପ୍ରଣତୀ ଦାସଙ୍କୁ ବାଲିଗୁଡ଼ା ଉପଜିଲ୍ଲାପାଳ, କସ୍ତୁରୀ ପଣ୍ଡାଙ୍କୁ ପଞ୍ଚପୀର- କରଞ୍ଜିଆ ଉପଜିଲ୍ଲାପାଳ, ଅଭିଷେକ ଦୀଲିପ ଦୁଧଳଙ୍କୁ ଗୁଣୁପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଅସନୀ ଏ ଏଲ୍ଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ, ସି ସରଭାନନଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ, ତେଜସ୍ୱିନୀ ବେହେରାଙ୍କୁ ସୁନ୍ଦରଗଡ଼ ଉପଜିଲ୍ଲାପାଳ, ଶିବ ମାଲଭିୟଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ ଏବଂ ଅବିନାଶ କୁମାରଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।
ସୂଚନାଯୋଗ୍ୟମ, ମଙ୍ଗଳବାର ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ଧରଣ ଅଦଳବଦଳ କରିଥିଲେ । ୪୯ ଆଇଏଏସ୍ ଅଫିସରଙ୍କ ବିଭାଗ ଓ ଜିଲ୍ଲା ବଦଳାଇଥିଲେ । ଏଥିରୁ ୧୬ ଜଣ ଜିଲ୍ଲାର ଜିଲ୍ଲାପାଳ ବଦଳା ଯାଇଥିଲା।